ଅବପାତରେ ପରିଣତ ହେଲା ଲଘୁଚାପ, ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା
ଆଜି ସକାଳ ୮.୩୦ ସମୟରେ ସୁଦୃଶଃ -ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଗୋଟିଏ ଅବପାତ ରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ୨୦.୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଭୁବନେଶ୍ୱର ଠାରୁ ଉତ୍ତର ଉତ୍ତର ପଶ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇଛି । ଆଜି ସକାଳ ୮.୩୦ ସମୟରେ ସୁଦୃଶଃ -ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଗୋଟିଏ ଅବପାତ ରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ୨୦.୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଭୁବନେଶ୍ୱର ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଖପାଖ ଅଞ୍ଚଳରେ ଦୁର୍ବଳ ହୋଇ ପୁଣି ସୁଦୃଶଃ-ଲଘୁଚାପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ସଦ୍ୟତମ ସୂଚନା ମୁତାବକ, ସକ୍ରିୟ ଅବପାତ ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୦କିମି ବେଗରେ ପଶ୍ଚିମ ଦିଗରେ ଗତିକରିବା ସହ, ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱର ଠାରୁ ଉତ୍ତର-ପଶ୍ଚିମ ଦିଗରେ ୮୫ କିମି ଦୂରରେ ଓଡିଶା ଉପକୂଳ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ ସହ ନିଜର ତୀବ୍ରତା ବଜାୟ ରଖି, ଆସନ୍ତାକାଲି ଛତିଶଗଡ ପହଞ୍ଚିବା ବେଳକୁ ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ୪ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଓ ୧୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ଅନୁଗୋଳ ଓ କେନ୍ଦୁଝର। ସେହିପରି ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗିର। ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ନୂଆପଡ଼ା।
ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବାପରେ ପାରାଦୀପ, ପୁରୀ, ଚାନ୍ଦବାଲି/ଧାମରା, ଓ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏବେ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ୧୨ ତାରିଖ ବେଳକୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।












Click it and Unblock the Notifications