ସାରା ରାଜ୍ୟରେ ଲଗାଣ ବର୍ଷା ଜାରି: ଆହୁରି ଦୁଇ ଦିନ ବର୍ଷିବ
ଆଜି ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଗଞ୍ଚାମ, ଖୋର୍ଦ୍ଧା, ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଯୋଗୁଁ ଏବେ ସାରା ରାଜ୍ୟରେ ଲଗାଣ ବର୍ଷା । ଏଥିପାଇଁ ରାଜ୍ୟର ଅଧିକାଂଶ ସହର ଜଳବନ୍ଦୀ ସମସ୍ୟା ଦେଇ ଗତି କରୁଛି । ଶନିବାର ଦିନ ତମାମ୍ ରାଜଧାନୀ ସମେତ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲା ।

ଗତ ୨୪ ଘଣ୍ଟାରେ ନୂଆଗଡ଼ରେ ସର୍ବାଧିକ ୨୩୭ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି । ସେହପରି ଆର. ଉଦୟଗିରିରେ ୨୩୩.୪ ମିମି, ଟାଙ୍ଗି (ଖୋର୍ଦ୍ଧା)ରେ ୨୧୦ ମିମି, ବାଣପୁର(ଖୋର୍ଦ୍ଧା)ରେ ୨୦୦ ମିମି, ସଇଁତଳା(ବଲାଙ୍ଗୀର)ରେ ୧୯୫ ମିମି, ଫୁଲବାଣୀରେ ୧୮୩.୪ ମିମି, ପୁରୀରେ ୧୫୮.୫ ମିମି, ନୂଆଗାଁ (ନୟାଗଡ଼): ୧୫୫ ମିମି ଏବଂ ଓଡଗାଁ (ନୟାଗଡ଼)ରେ ୧୫୨.୧ ମିମି ବର୍ଷା ହୋଇଥିବା ଜଣାଯାଇଛି ।
ଅନ୍ୟପଟେ ଆଗାମୀ ଦୁଇ ଦିନ ଯାଏ ମଧ୍ୟ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ଏନେଇ କିଛି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଗଞ୍ଚାମ, ଖୋର୍ଦ୍ଧା, ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ଝାରସୁଗୁଡା ସୁନ୍ଦରଗଡ ଜିଲ୍ଲା ଏବଂ ଆସନ୍ତାକାଲି ରାୟଗଡା, ଗଜପତି, କନ୍ଧମାଳ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି ।
ତେବେ କାଲି ପରଠାରୁ ରାଜ୍ୟରେ ବର୍ଷା କମିବ । ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ୧୭ ତାରିଖ ପର୍ଯ୍ୟନ୍ତ ରହିବ । ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଭାରତ ଆଡକୁ ମୁହାଁଇବ। ଜୁଲାଇ ୧୮ରୁ ୨୦ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ମଧ୍ୟମ ବର୍ଷା ହେବାର ସମ୍ଭବାନା ରହିଛି। ୨୧ରୁ ଆଭ୍ୟନ୍ତରୀଣ ଓଡ଼ିଶା ଓ ୨୩ରୁ ଭୁବନେଶ୍ୱର ସମତେ ଉପକୂଳ ଓଡ଼ିଶାରେ ବର୍ଷା ବଢ଼଼ିବ ।












Click it and Unblock the Notifications