ଓଡ଼ିଶାକୁ ଆସୁଛି ବଡ଼ ବର୍ଷା: ୧୭ରୁ ପ୍ରବଳ ବର୍ଷିବ, ୧୯ରେ ପ୍ରଥମ ଲଘୁଚାପ
ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ବଡ଼ ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଦେଖାଦେଇଛି । ଅନୁମାନ କରାଯାଉଛି, ଆଗାମୀ ଦୁଇ ସପ୍ତାହ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି ।
ତେବେ ଆସନ୍ତା ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ ।୧୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ଯାହାକି ୨୧ ତାରିଖ ସୁଦ୍ଧା ଅବପାତ (ଡିପ୍ରେସନ) ରୂପ ନେଇପାରେ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଓଡ଼ିଶା ଏବଂ ଛତିଶଗଡ଼ ଆଡ଼କୁ ଆସିପାରେ । ଏହା ଓଡ଼ିଶାରେ ଢେର ବର୍ଷା କରାଇପାରେ । ସେହିପରି ପରବର୍ତ୍ତୀ ଲଘୁଚାପ ୨୧ରୁ ୨୭ ତାରିଖ ଭିତରେ ହୋଇପାରେ, ତାହା ମଧ୍ୟ ଅବପାତରେ ପରିଣତ ହୋଇପାରେ । ଏହା ପ୍ରଭାବରେ ଜୁଲାଇ ୧୮ରୁ ୨୭ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେପଟେ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧ ଜୁନରୁ ଏଯାଏ ୨୪୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୩୩୪.୪ ମିଲିମିଟର ତୁଳନାରେ ୨୭ ପ୍ରତିଶତ କମ । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୪୨% ଅଧିକ । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications