ଆଜିଠୁ ବଦଳିବ ପାଗ, ବଢିବ ତାତି: ୧୫ରୁ ପୁଣି ବର୍ଷା
ମେଘୁଆ ପାଗ ପରେ ଆଜିଠାରୁ ରାଜ୍ୟକୁ ଖରା ଓ ତାତି ଫେରିଛି । ୧୨ରୁ ୧୪ ତାରିଖ ଓଡ଼ିଶାରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । କିନ୍ତୁ ୧୫ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହୋଇଯିବ ।

ଭୁବନେଶ୍ୱର: ମେଘୁଆ ପାଗ ପରେ ଆଜିଠାରୁ ରାଜ୍ୟକୁ ଖରା ଓ ତାତି ଫେରିଛି । ୧୨ରୁ ୧୪ ତାରିଖ ଓଡ଼ିଶାରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । କିନ୍ତୁ ୧୫ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହୋଇଯିବ । କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ।
ତେବେ ୧୫ରୁ ପୁଣି କାଳବୈଶାଖୀ ପ୍ରଭାବ କାରଣରୁ ରାଜ୍ୟର କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, କେଉଁଝର, ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଆଶଙ୍କା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଏଥିସହ ଉପକୂଳ ଓଡ଼ିଶାରେ ୧୭, ୧୮, ୧୯ ତାରିଖରେ କାଳବୈଶାଖୀ ବର୍ଷା ପରିମାଣ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି IMD ।
ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୫ ତାରିଖଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ। ଆକାଶ ମେଘୁଆ ରହିବ। ବର୍ଷା ହେବ ଓ ତାପମାତ୍ରା କମିବ। ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧୮ ଓ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ। ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରଭାବ ରହିବ ନାହିଁ ବା କମ୍ ରହିବ।
ସେପଟେ ଭୁବନେଶ୍ବରରେ ୧୭ରୁ ୨୦ ତାରିଖ ଭିତରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରିରୁ କମ୍ ହୋଇପାରେ। ଆଜି ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। ୧୪ ତାରିଖ ଯାଏ ଗରମ ରହିବ। କିନ୍ତୁ କୌଣସି ସ୍ଥାନରେ ୩୯ ଡିଗ୍ରି ଅତିକ୍ରମ କରିବା ସମ୍ଭାବନା କମ୍।












Click it and Unblock the Notifications