ବଦଳିଲା ପାଗ: ଆରମ୍ଭ ହେଲା ବର୍ଷା, ଉପକୂଳ ଓଡ଼ିଶାରେ ମେଘୁଆ ପାଗ
ଭୁବନେଶ୍ୱର: ବଦଳିଲା ପାଗ । ଆରମ୍ଭ ହେଲା ବର୍ଷା । ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା ହେଉଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହଛି ।
ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ଆଉ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ ।

ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଶ୍ରାବଣରେ ଭଲ ବର୍ଷା ହେଉ ନଥିବାରୁ ବଡ଼ବର୍ଷାକୁ ଅପେକ୍ଷା କରି ରହିଛନ୍ତି ଚାଷୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ପଛେଇ ଯାଇଛି । ଭଲ ବର୍ଷା ହେଉ ନଥିବାରୁ ଚାଷ ଜମି ଫାଟି ଗଲାଣି ।
ଗତ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚିନ୍ତା ବ଼ଢ଼ାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରେକର୍ଡ ହୋଇଛି ୨୭ ପ୍ରତିଶତ କମ୍ ବର୍ଷା । ଜୁନ୍ ୧ରୁ ୧୦ ତାରିଖ ଭିତରେ ରାଜ୍ୟରେ ୨୨୨.୭ ମିଲିମିଟର ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ରହିଛି ୩୦୪.୨ ମିଲିମିଟର । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ସବୁଠୁ କମ୍ ୬୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।












Click it and Unblock the Notifications