୧୮ରେ ପୁଣି ଏକ ଘୂର୍ଣ୍ଣିବଳୟ, ୨୨ରୁ ୨୪ ଯାଏଁ ପ୍ରବଳ ବର୍ଷା !
ଆସନ୍ତା ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଫଳରେ ଏହା ପ୍ରଭାବରେ ୨୨ରୁ ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ତେବେ ଚଳିତବର୍ଷ ମୌସୁମୀ ଋତୁରେ ୪ଟି ଅବପାତ ଏବଂ ୩ଟି ଲଘୁଚାପ ସୃଷ୍ଟି ହୋଇଛି । IMDର ଆକଳନ ଅନୁସାରେ ଅକ୍ଟୋବରରେ ସିରିଜ୍ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଗତ ଦୁଇ ସପ୍ତାହରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଉପରେ ସମସ୍ତଙ୍କ ନଜର ରହିଛି ।
ସେପଟେ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷାର ପ୍ରଭାବ। ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୪ ଅକ୍ଟୋବର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୯ଟି ଜିଲ୍ଲାକୁ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ମାଲକାନାଗିରି ଓ କୋରପୁଟ ପ୍ରଭୃତି ଜିଲ୍ଲା ରହିଛି । ଏହି ଜିଲ୍ଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications