ଆଜିଠୁ ବଦଳିବ ପାଗ: ୫ରୁ ପୁଣି ବର୍ଷା
ରାଜ୍ୟକୁ ପୁଣି ଫେରିବ ବର୍ଷା । ଆଜିଠୁ ବଦଳିବ ପାଗ । ଆସନ୍ତା ୫ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ସ୍ଥିତି ସୃଷ୍ଟିହେବାକୁ ଥିବା ବେଳେ ଦୁର୍ବଳ ରହିଥିବା ମୌସୁମୀ ପୁଣି ସକ୍ରିୟ ହେବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହି
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ବର୍ଷା । ଆଜିଠୁ ବଦଳିବ ପାଗ । ଆସନ୍ତା ୫ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ସ୍ଥିତି ସୃଷ୍ଟିହେବାକୁ ଥିବା ବେଳେ ଦୁର୍ବଳ ରହିଥିବା ମୌସୁମୀ ପୁଣି ସକ୍ରିୟ ହେବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୭୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ମଙ୍ଗଳବାର ସୁଦ୍ଧା ୫୧୬ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍ ବୋଲି ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।
୧ ଜୁନରୁ ୨ ଅଗଷ୍ଟ ଯାଏ ରାଜ୍ୟରେ ସର୍ବମୋଟ ୫୧୬.୩ମିମି ବର୍ଷା ହୋଇଯାଇଛି । ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୫୭୨.୬ମିମି ବର୍ଷା ହୋଇଥାଏ। ଅର୍ଥାତ ଏବେ ରାଜ୍ୟରେ ମୋଟ୍ ୧୦% ନିଅଣ୍ଟ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ ଏହା ସ୍ବାଭାବିକ ପରିସରଭୁକ୍ତ ।












Click it and Unblock the Notifications