Odisha Weather: ଆଜିଠୁ ରାଜ୍ୟରେ କମିବ ବର୍ଷା
ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଉପକୂଳ ପଶ୍ଚିମବଙ୍ଗ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଥିଲା।
ଏହା ଆଜି ପଶ୍ଚିମ ଦିଗକୁ ଗତି କରି ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଝାଡଖଣ୍ଡ ଉପରେ ରହିଛି। ଏହା ଧୀରେଧୀରେ ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ପଶ୍ଚିମ ଦିଗକୁ ଗତି କରିବ। ରବିବାର ସୁଦ୍ଧା ଦୁର୍ବଳ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ବର୍ଷାର ପରିମାଣ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ସହ ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାପରେ ରାଜ୍ୟରେ ମୌସୁମୀଜନିତ ହାଲ୍କା ବର୍ଷା ଜାରି ରହିପାରେ। ତେବେ ଆସନ୍ତାକାଲି ମଧ୍ୟ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଓଡ଼ିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications