Odisha Weather: ଓଡ଼ିଶାରେ କାଲିଠୁ ବର୍ଷା, ବଙ୍ଗୋପସାଗରରେ ଗଭୀର ଅବପାତ
ବଙ୍ଗୋପସାଗରରେ ଗଭୀର ଅବପାତ । ଓଡ଼ିଶାରେ ପଡିବନି ସମ୍ଭାବ୍ୟ ବାତ୍ୟା ପ୍ରଭାବ । ଆସନ୍ତାକାଲିଠାରୁ କିଛି ସ୍ଥାନରେ ବର୍ଷା ସମ୍ଭାବନା ।
ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆଗାମୀ 12 ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭଆଗ ( IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମ୍ଭାବିତ ବାତ୍ୟାର ନାମ ରଖାଯାଇଛି 'ଫେଙ୍ଗାଲ' ।
ବାତ୍ୟା 'ଫେଙ୍ଗାଲ' ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବା ନେଇ ପୂର୍ବ ଆକଳନ ପ୍ରକାଶ ପାଇଛି । 28 ତାରିଖ ସୁଦ୍ଧା ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଓଡିଶା ଉପକୂଳରେ ବର୍ଷା ହେବ । ଆସନ୍ତାକାଲିଠାରୁ ଓଡିଶାରେ ବର୍ଷା ହେବା ଆରମ୍ଭ ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି । ବାତ୍ୟାର ପ୍ରଭାବ ଓଡିଶା ଉପରେ ସେତେ ପଡ଼ିବ ନାହିଁ । କିନ୍ତୁ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଜାରି ରହିବ ଶୀତ:-
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ । କୋହଲା ପାଗ ସହ ହାଲୁକା ଥଣ୍ଡା ପଵନ ପ୍ରବାହିତ ହେବ । ଉଭୟ ଦିନ ଓ ରାତିର ତାପମାତ୍ରା କମିବ । ଦୁଇ ଦିନ ପରେ ପୁଣି ଉପରମୁହାଁ ହେବ ତାପମାତ୍ରା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବିତ ବାତ୍ୟା ପ୍ରଭାବରେ 27 ରୁ 30 ନଭେମ୍ବର ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଉପକୂଳ ଓ ଦକ୍ଷିଣ ଜିଲ୍ଲା ତଥା କିଛି ସଂଲଗ୍ନ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାର କିଛି କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।












Click it and Unblock the Notifications