Odisha Weather: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି;ଅତି ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ସତର୍କ ସୂଚନା
ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେଉଛି । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ- ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ବିଶେଷ କରି ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ସେହିପରି ୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନୂଆପଡ଼ା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
୨୪ ଘଣ୍ଟା ମଧ୍ୟରେ ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି ଏବଂ କୋରାପୁଟ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ପବନ ବହିବା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ଜନସାଧାରଣ ଏବଂ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଆସନ୍ତାକାଲି ନବରଙ୍ଗପୁର ନୂଆପଡା ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖରେ ନବରଙ୍ଗପୁର ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ କଳାହାଣ୍ତି, ବଲାଙ୍ଗୀର, ମୟୂରଭଂଜ, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ ଓ କେନ୍ଦୁଝରରେ ବର୍ଷା ହେବ ବୋଲି ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୨୯ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ଼ ଓ ବରଗଡରେ ଅଧିକ ବର୍ଷା ହେବ । ବୁଧବାର ନୟାଗଡରେ ସର୍ବାଧିକ ବର୍ଷା ୧୧୦ ମିମି ରେକର୍ଡ଼ ହୋଇଥିବା ବେଳେ ପାରଳାଖେମୁଣ୍ତିରେ ୬୯.୮,ନବରଙ୍ଗପୁରରେ ୨୩, ଭୁବନେଶ୍ବରରେ ୨୧.୩, ମାଲକାନଗିରିରେ ୧୬.୮, ଟିଟିଲାଗଡରେ ୧୫ ଓ ଫୁଲବାଣୀରେ ୧୪ ମିଲି ମିଟର ବର୍ଷା ରେକର୍ଡ଼ କରାଯାଇଛି ।












Click it and Unblock the Notifications