ରାଜ୍ୟରେ ବଢ଼ିବ ଶୀତ: ବଦଳିବ ପାଣିପାଗ, କିରେଇ ସବୁଠୁ ଥଣ୍ଡା
ରାଜ୍ୟରେ ବଢ଼ିବ ଶୀତ । କିରେଇ ସବୁଠୁ ଥଣ୍ଡା । ବୁଧବାର ଠାରୁ ରାଜ୍ୟରେ ବଦଳିବ ପାଣିପାଗ । ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ପାରଦ ଖସିଛି । ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିଲା ପାରଦ । ସମତଳ ଅଞ୍ଚଳ ମଧ୍ୟରେ କିରେଇ ୧୨.୭, ଫୁଲବାଣୀ ୧୩ ଡିଗ୍ରୀ । ପାହାଡ଼ିଆ ଅଞ୍ଚଳ ମଧ୍ୟରେ କୋରାପୁଟ ୧୩, ଜି ଉଦୟଗିରିରେ ୧୩.୨ ଡିଗ୍ରୀ ତାପମାତ୍ରା ରହିଛି ।
ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ -ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ରେ ୨ ରୁ ୩ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ବର୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୪ ଡ଼ିଗ୍ରୀ ଅଧିକ ରହିଛି ।
ଦକ୍ଷିଣ ଉପକୂଳରେ ଗୁରୁବାର (ଆସନ୍ତାକାଲି) ରୁ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ତାପମାତ୍ରା କମିବା ସହିତ ଶୀତର ପ୍ରକୋପ ବଢ଼ିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏନେଇ ଆକଳନ କରିଛନ୍ତି ।

ବୁଧବାର ରାତି ଠାରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ କମିବ । ତେବେ ଆସନ୍ତା ୧୦ ତାରିଖରୁ ତାପମାତ୍ରା ବଢ଼ିବ । ୧୪ରୁ ୧୬ ମଧ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଗୁରୁବାର ରାତିରୁ ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ିବ । ଏହା ୧୧ ତାରିଖ ସୁଦ୍ଧା ୨.୫ ଡିଗ୍ରୀରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ୧୫ ତାରିଖରୁ ତାପମାତ୍ରା ୪ ଡିଗ୍ରୀ ଯାଏଁ କମିବ । ତେଣୁ ଏହି ସମୟରେ ଶୀତ ପ୍ରକୋପ ଅଧିକ ରହିବ ।
ଗତକାଲି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ଅଳ୍ପ କେତେକ ସ୍ଥାନ ସହ ଦକ୍ଷିଣ ଓଡିଶାର କେତେକ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଆଜି ମଧ୍ୟ ରାଜ୍ୟର କେତେକ ଅଞ୍ଚଳର ପାଗ ମେଘୁଆ ରହିବ ।
ଏହି ସମୟରେ ନଦୀ ପଠାରେ ଆଳୁ ଲଗାଯାଇପାରିବ । ଏହା ସହ ମୁଗ, ବିରି, ଅଳସି, ବାଦାମ ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ସବୁ ସ୍ଥାନରେ ଗେଣ୍ଡୁଫୁଲ ସହିତ ପନିପରିବା ଲଗାଇବାକୁ ପାଗ ଅନୁକୂଳ ରହିବ ।












Click it and Unblock the Notifications