Odisha Weather: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୨ ଦିନ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାସହ ଓଡ଼ିଶା ଉପରେ ମୌସୁମୀ ଟ୍ରଫଲାଇନ୍ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି।
କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ମାଲାକନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ୭-୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି।
ସୋମବାରଠାରୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ସହ ଗତ ୩୬ ଘଣ୍ଟାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଅନ୍ୟପଟେ ଏହି ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଗୁରୁବାର ମଧ୍ୟ ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ନେଇ କେନ୍ଦ୍ର କହିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ତଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ ମାଟି ରାସ୍ତା ପ୍ରଭାବିତ ହେବା ଆଶଙ୍କା ମଧ୍ୟ ରହିଛି।
ସେହିପରି ପହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଆଶଙ୍କା ପ୍ରକଟ କରିଛି। ମାଟି କାନ୍ଥ ପଡ଼ିବା ଆଶଙ୍କା ଥିବାରୁ ଲୋକଙ୍କୁ ସମ୍ବେଦନଶୀଳ ଅବସ୍ଥାରେ ଥିବା ମାଟି ଘରେ ନ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଏହାସହ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଡ୍ରେନ୍ରେ ପାଣି ଚଳାଚଳ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ କେନ୍ଦ୍ର କହିଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍ଆରସି ସତର୍କ କରାଇଛନ୍ତି। ବିଶେଷକରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସବୁପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବଲାଙ୍ଗିରରେ ସର୍ବାଧିକ ୯୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ୬୧, ଅନୁଗୁଳ ୬୦, ବୌଦ୍ଧ ଓ ନବରଙ୍ଗପୁରରେ ୫୭, ଦାରିଙ୍ଗବାଡ଼ି ୪୪, କେନ୍ଦୁଝର ୩୭, ରାଉରକେଲା ଓ କୋରାପୁଟ ଏବଂ ରାଉରେକାଲ ୩୬, ଫୁଲବାଣୀ ୩୩ ଓ ଖୋର୍ଦ୍ଧାରେ ୨୯ ମିମି ବର୍ଷା ରେକର୍ଡ କରାଯାଇଛି। ମୌସୁମୀରେ ରାଜ୍ୟରେ ଜୁନ୍ ୧ରୁ ଏଯାବତ୍ ୫୪୬.୮ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୨ଜିଲ୍ଲାରେ ଅଧିକ ବର୍ଷା ଓ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ବାକି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ନେଇ କେନ୍ଦ୍ର କହିଛି।












Click it and Unblock the Notifications