Odisha Weather: ୧୩ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା; ଆଗାମୀ ୫ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା
ରାଜ୍ୟରେ ୧୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଆଗାମୀ ୫ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜିଠାରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୧୩ ତାରିଖରେ କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ ।
ସେପଟେ ଚଳିତ ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ୨୧୬. ୫ ମିମି ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୯୫ ମିମି ଠାରୁ ଏହା ୨୭ ପ୍ରତିଶତ ନିଅଣ୍ଟିଆ । ୧୩ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ଓ ବାଲେଶ୍ବର ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି ।
ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ଓ ବର୍ଷା ପାଇଁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଚେତାବନୀ ଦିଆଯାଇଛି ।












Click it and Unblock the Notifications