ପାଣିପାଗ ଖବର: କମ ହେଉଛି ଲଘୁଚାପ ପ୍ରଭାବ, ଆସନ୍ତାକାଲିଠୁ କମିବ ବର୍ଷା
ଆସନ୍ତାକାଲିଠାରୁ କମିବ ବର୍ଷା । ଆସନ୍ତାକାଲିଠାରୁ ରାଜ୍ୟ ଉପରୁ ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ କମୁଥିବାରୁ ରାଜ୍ୟରେ ବର୍ଷାର ମାତ୍ରା ଧୀରେ ଧୀରେ ଉଭୟ ବିସ୍ତୃତି ଏବଂ ପରିମାଣରେ ଦୃଷ୍ଟାନ୍ତମୂଳକ ଭାବେ କମିବାରେ ସମ୍ଭାବନା ରହିଛି ।
ରାଜ୍ୟ ଉପରୁ ପଶ୍ଚିମବଙ୍ଗର ପଶ୍ଚିମଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ କମିବାରେ ଲାଗିଛି । ଫଳରେ ରାଜ୍ୟରେ ବର୍ଷାର ମାତ୍ରା ଧୀରେ ଧୀରେ କମିବାରେ ଲାଗିଛି ।
ତେବେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କୁହାଯାଉଛି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନା ଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା। ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା ନଦୀ ପ୍ରବାହିତ ହେଉଛି ।
ମଥାନି ଠାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ 5.5 ମିଟର ଥିବାବେଳେ ସକାଳ 6 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.32 ମିଟରରେ ପହଞ୍ଚିଥିଲା । ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ହେବା ପରେ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି ।
ସେହିପରି ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ନଦୀର ବିପଦ ସଂକେତ 17.83 ମିଟର ଥିବା ବେଳେ ଏବେ 17.91 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି ।
ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି । ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢୁଛି ।












Click it and Unblock the Notifications