ପାଣିପାଗ ଖବର : ବଦଳିପାରେ ପାଗ, ସେପ୍ଟେମ୍ୱର ୨ ତାରିଖରୁ ହୋଇପାରେ ବର୍ଷା
ରାଜ୍ୟରେ ବଦଳିପାରେ ପାଗ । ପୁଣି ହୋଇପାରେ ବର୍ଷା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଫଳରେ ରାଜ୍ୟରେ ବର୍ଷା ହୋଇପାରେ । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବର୍ଷା ହୋଇପାରେ । ଆହୁରି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଆସନ୍ତା ସେପ୍ଟେମ୍ବର ୪ରୁ ବର୍ଷାର ପରିମାଣ ବଢ଼ିପାରେ । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି ।
କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ବର, ନବରଙ୍ଗପୁର, କଳାହାଣ୍ଡି ଏବଂ ବଲାଙ୍ଗୀରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୭୦ରୁ ୧୧୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ମୌସୁମୀ ଦୂର୍ବଳ ହେତୁ, ଗତ ୫ ଦିନ ହେବ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । ସେହିପରି ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ ।
ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ସମେତ କୋରାପୁଟ, ରାୟଗଡା, କଳାହାଣ୍ଡିରେ ସ୍ଥିତି ଉତ୍କଟ ହୋଇଛି ।

ସେପଟେ ନିଅଣ୍ଟିଆ ବର୍ଷାରେ ପ୍ରଭାବିତ ସାରା ରାଜ୍ୟ ଚାଷ କାମ ଆରମ୍ଭ ହୋଇପାରୁନି । କେଉଁଠି ବର୍ଷା ଅଜାଡ଼ି ଦେଲା ତ ଆଉ କେଉଁଠି ଆଦୌ ହେଲାନି । ଏବେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି ।
ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଅଗଷ୍ଟ ମାସରେ ବର୍ଷାର ଦେଖାନାହିଁ । ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି । ତେବେ ଯଦି ସେପ୍ଟେମ୍ୱରରେ ବର୍ଷା ହୁଏ ସ୍ଥିତି କିଛି ମାତ୍ରାରେ ସୁଧୁରିପାରେ ବୋଲି କୁହାଯାଉଛି ।












Click it and Unblock the Notifications