Odisha Weather: ଜୁଲାଇରେ ସ୍ବାଭାବିକ ବର୍ଷା: ୫ ଦିନ ଯାଏଁ ହାଲୁକାରୁ ମଧ୍ୟମଧରଣର ବର୍ଷା
ଜୁଲାଇ ମାସରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ସେହିପରି ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ।
ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝରର ଅଧିକାଂଶ ଅଞ୍ଚଳ ଏବଂ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ବାଭାବିକରୁ ଅଧିକ ବର୍ଷା ଏବଂ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ପରିମାଣ ନିଅଣ୍ଟିଆ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆମେ ଯଦି ଦେଖିବା ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ, ଉତ୍ତରପଶ୍ଚିମ, ପୂର୍ବ ଓ ଦକ୍ଷିଣ ପୂର୍ବ ପେନିସୁଲାରର କିଛି ଅଞ୍ଚଳରେ ବର୍ଷା ପରିମାଣ ସ୍ବାଭାବିକଠାରୁ କମ୍ ରହିବ । କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ଏବଂ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ଭାରତ, ଦକ୍ଷିଣ-ପୂର୍ବାଞ୍ଚଳରେ ତାପମାତ୍ରା ସ୍ବାଭାବିକ ନ ହେଲେ ସ୍ବାଭାବିକଠାରୁ କମ୍ ରହିପାରେ ।
ପଶ୍ଚିମ ଉପକୂଳ ବ୍ୟତୀତ ଉତ୍ତର-ପଶ୍ଚିମ ଭାରତ ଓ ଦକ୍ଷିଣ ପେନିସୁଲାରର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ କମ୍ ରହିବ । କେନ୍ଦ୍ରୀୟ, ପୂର୍ବ ଓ ଉତ୍ତରପୂର୍ବ ଭାରତରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି ।
ଜୁନ୍ ୧ରୁ ଆଜି ସୁଦ୍ଧା ଅର୍ଥାତ୍ ମୌସୁମୀ ସମୟରେ ରାଜ୍ୟରେ ସ୍ବାଭାବିକ ଭାବେ ୨୧୬.୫ ମିମି ବର୍ଷା ହେବା କଥା । ମାତ୍ର ଚଳିତବର୍ଷ ୧୬୪ ମିମି ହୋଇଛି, ଯାହାକି ସ୍ବାଭାବିକଠାରୁ ୨୪% ନିଅଣ୍ଟିଆ । ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ନିଅଣ୍ଟିଆ ସ୍ଥିତି ଲାଗି ରହିଛି ।
୧୩ଟି ଜିଲ୍ଲାରେ ସ୍ବାଭାବିକ ଏବଂ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୫ ଦିନ ଯାଏଁ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ । ମଙ୍ଗଳବାର ସକାଳ ସୁଦ୍ଧା ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ଦେବଗଡ଼, ସମ୍ବଲପୁର ଓ ବରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ଼ରେ ସର୍ବାଧିକ ୧୫୩ ମିମି ବର୍ଷା ହୋଇଛି। କଟକ ଜିଲ୍ଲାର କଣ୍ଟାପଡ଼ାରେ ୮୦ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ର ଟେନ୍ସାରେ ୭୫.୬, ନବରଙ୍ଗପୁରରେ ୬୦.୨, ନନ୍ଦାହାଣ୍ଡିରେ ୫୩, ତେନ୍ତୁଲିଖୁଣ୍ଟିରେ ୪୦, ଢେଙ୍କାନାଳରେ ୫୨.୨, ଭୁବନରେ ୫୪ ମିମି ବର୍ଷା ହୋଇଛି। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଜଗତ୍ସିଂହପୁରରେ ୨୦.୧, ଭୁବନେଶ୍ବରରେ ୧୧.୨, ସମ୍ବଲପୁରରେ ୧୧.୨, ପାରାଦୀପରେ ୮.୮ ମିମି ବର୍ଷା ରେକର୍ଡ କରାଯାଇଛି ।












Click it and Unblock the Notifications