ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ, ଏବେ ବି ନିଅଣ୍ଟିଆ ବର୍ଷା
ଫେରିଯିବ ମୌସୁମୀ । ମୌସୁମୀ ଫେରିବା ସମୟ ହେଲାଣି । ତଥାପି ରାଜ୍ୟରେ ସେହି ଅନୁସାରେ ବର୍ଷା ହୋଇନାହିଁ । ରାଜ୍ୟରେ ୩ ଜିଲ୍ଲାରେ ଏବେ ବି ସ୍ଥିତି ନିଅଣ୍ଟିଆ ରହିଛି । କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ନିଅଣ୍ଟିଆ ସ୍ଥିତି ଭିତରୁ ବାହାରି ପାରୁନାହାନ୍ତି । ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷ କାମ ବି ଠିକ୍ ଭାବରେ ହୋଇପାରୁ ନାହିଁ ।
ଜୁନ୍ ୧ ରୁ ସେପ୍ଟେମ୍ବର ୨୪ ଭିତରେ ରାଜ୍ୟରେ ୧୦୮୪ମିମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ୧୧୨୦ମିମି ବର୍ଷା ଦରକାର ଥିଲା ବେଳେ ବର୍ଷାର ପରିମାଣ କମିଛି । ସ୍ୱାଭାବିକ ତୁଳନାରେ ସାମାନ୍ୟ କମ୍ ବର୍ଷା ହୋଇଛି । ହେଲେ ଢେଙ୍କାନାଳ, ବୌଦ୍ଧ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।
ଗତ ୨୪ ଘଣ୍ଟାରେ ଜଗତ୍ସିଂହପୁରର ନୂଆଗାଁରେ ୪୯ମିମି, ସୁନ୍ଦରଗଡ଼ ବାଲିଶଙ୍କରାରେ ୪୦.୨, ମାଲକାନଗିରି ପଦିଆରେ ୩୬.୩, ଢେଙ୍କାନାଳରେ ୨୯, ନରସିଂହପୁରରେ ୨୫, ନବରଙ୍ଗପୁର ପାପଡ଼ାହାଣ୍ଡିରେ ୨୫ମିମି ଓ ସୁନ୍ଦରଗଡ଼ରେ ୨୩.୮ମିମି ବର୍ଷା ହୋଇଛି ।

ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଏହାର ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।
ଆଜି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଂଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ାକୁ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications