ପାଣିପାଗ ଖବର: ଆଜିଠୁ ରାଜ୍ୟରେ କମିବ ଶୀତ, ବଢିବ କୁହୁଡ଼ି ।
ଆଜିଠୁ ରାଜ୍ୟରେ କମିବ ଶୀତ । ହେଲେ ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ ଆଜିଠୁ କିଛିଟା କମିବ। ତେବେ କାଲିଠୁ ପ୍ରବଳ କୁହୁଡ଼ି ଦେଖାଯିବା ନେଇ ଚେତାଇଛି ପାଣିପାଗ କେନ୍ଦ୍ର ।
୨୩ ତାରିଖ ସକାଳେ ପ୍ରବଳ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ।ବାୟୁମଣ୍ଡଳରେ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ପ୍ରବଳ କୁହୁଡ଼ି ଜାରି କରିବ।
ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ୨୩ ତାରିଖରେ ୧୦ ଜିଲ୍ଲା ଓ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବା ନେଇ ଚେତାବନୀ ଦିଆଯାଇଛି ।

ଗତ କିଛି ଦିନ ହେଲା ରାତିର ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରା ୨-୩ ଡିଗ୍ରୀ ତଳକୁ ଖସି ଆସିଛି । ଏପରିକି ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା'ଠାରୁ କମ୍ ରହିଛି । ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୫ ଡିଗ୍ରୀ ରେକର୍ଡ କରାଯାଇଛି ।
ଗତ କିଛିଦିନ ହେଲା ଶୀତ ସହ ୮ରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ବିଶେଷ କରି କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।
ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ ଆଦି ସ୍ଥାନରେ ଆଜି ରାତି ଓ ଆସନ୍ତାକାଲି ସକାଳେ ଘନ କୁହୁଡିର ସମ୍ଭାବନା ରହିଛି । ସେହିପରି ଶନିବାର ରାତି ଓ ରବିବାର ସକାଳ ପାଇଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।












Click it and Unblock the Notifications