Odisha Weather: ୧୫ଟି ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରି, ଆଜିଠୁ ହାଲୁକା ବର୍ଷା
ରାଜ୍ୟରେ ଜାରି ରହିଛି ସୂର୍ଯ୍ୟଙ୍କ କୋପ । ମାଘ ମାସରେ ଟାଇଁ ଟାଇଁ ଖରା । ରାଜ୍ୟର ୧୫ଟି ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରି କିମ୍ବା ତାଠାରୁ ଅଧିକ ରହିଛି । ଦ୍ବିତୀୟ ଦିନ ପାଇଁ ରାଜ୍ୟର ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି । ଗୁରୁଚାପ ବଳୟ ଯୋଗୁ ଦିନ ସମୟରେ ପଶ୍ଚିମ ଦକ୍ଷିଣ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେବା ଦ୍ୱାରା ଦିନ ତାପମାତ୍ରା ବୃଦ୍ଧି ହେଉଛି । ଏହି ପ୍ରଭାବ ଗୁରୁବାର ମଧ୍ୟ ରହିବ ।
ଆଜି ଉପକୂଳ ଓଡ଼ିଶାରେ ତାତି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।
ଗତକାଲି ୩୬.୪ ଡିଗ୍ରି ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏହାବ୍ୟତୀତ ଟିଟିଲାଗଡ଼ ଓ ଭବାନୀପାଟଣାରେ ୩୬ ଡିଗ୍ରି, ଚାନ୍ଦବାଲି ଓ ଭଦ୍ରକରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସୋନପୁର ଓ ବୌଦ୍ଧରେ ୩୫.୫, ନୟାଗଡ଼ ଓ ବଲାଙ୍ଗୀରରେ ୩୫.୪, ଢ଼େଙ୍କାନାଳରେ ୩୫.୨, କଟକ, ଅନୁଗୁଳ, ମାଲକାନଗିରି ଓ ତାଳଚେରରେ ୩୫ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି ।

ଆଜି ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଏବଂ ୨୫ ଓ ୨୬ ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ, ସ୍ୱାଭାବିକ ଭାବରେ ଫେବ୍ରୁଆରି ତୃତୀୟ ସପ୍ତାହଠାରୁ ତାପମାତ୍ରା ବୃଦ୍ଧି ହୋଇଥାଏ । ଜାନୁଆରି ୧୪ ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ତାପମାତ୍ରା ବୃଦ୍ଧି ହୋଇଥାଏ ।
ରାତିର ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରି ଅଧିକ ରହିଛି । ୨୩ ତାରିଖଠାରୁ ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ହ୍ରାସ ଘଟିବାର ସମ୍ଭାବନା ରହିଛି । ଆସନ୍ତା ୨୩ ଓ ୨୪ ତାରିଖରେ ବର୍ଷାର ପରିମାଣ ବଢ଼ିବ । କିଛି ଜିଲ୍ଲାରେ ୨୬ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ଜାରି ରହିବ। ଆଗାମୀ ୫ରୁ ୬ ଦିନ ରାତି ତାପମାତ୍ରା କମିବାର ସମ୍ଭାବନା ନାହିଁ ବୋଲି ଉମାଶଙ୍କର କହିଛନ୍ତି।












Click it and Unblock the Notifications