Odisha Weather: ଆହୁରି ୪ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
ଆହୁରି ୪ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବର୍ତ୍ତମାନ ଲଘୁଚାପ ଛତିଶଗଡ଼ ଉପରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୩-୪ ଦିନ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାରେ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ତେବେ ଆସନ୍ତା ୩ ଘଣ୍ଟା ମଧ୍ୟରେ ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ। ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି।ଏପଟେ ଲଗାଣ ବର୍ଷାରେ ମାଲକାନଗିରି ହାଲ୍ ବେହାଲ୍ ହୋଇଛି। ମାଲକାନଗିରି ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ। ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ। ଲୋକଙ୍କ ଘରେ ପାଣି ପଶିଛି। ମାଲକାନଗିରି ଜିଲ୍ଲାର କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଏବେ ୭ରୁ ୮ ଫୁଟ୍ ଉଚ୍ଚର ପାଣି ଚାଲିଛି। ଫଳରେ ମାଲକାନଗିରି ଓ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ସେହିଭଳି ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ମଧ୍ୟ ପାଣି ଚାଲୁଛି।ଜିଲ୍ଲାର ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ, ଓ କାଳିମେଳ-ପଡ଼ିଆ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ।












Click it and Unblock the Notifications