ଆଜିର ପାଣିପାଗ ଖବର: ସକ୍ରିୟ ଲଘୁଚାପ, ବର୍ଷା ଜାରି, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ
ସକ୍ରିୟ ଲଘୁଚାପ । ରାଜ୍ୟରେ ରାତି ସାରା ବର୍ଷା ହେବା ପରେ ଏବେ ସକାଳୁ ବି ଲାଗି ରହିଛି ବର୍ଷା । ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଲଗାଣ ବର୍ଷା । ରାତି ସାରା ବର୍ଷା ହେତୁ ସ୍ଥିତି ବେହାଲ୍ ।
ଆଜି ବି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେଗୁଡିକ ହେଲା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି କଟକ, ନୟାଗଡ଼, ଅନୁଗୁଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଛି । ରାତି ସାରା ବର୍ଷା ଲାଗି ରହିଛି । ସେହିପରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି ।

ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି । ରାୟଗଡ଼ା ଅମ୍ବାଡୋଲାରେ ୧୯୦ ମିଲମିଟର ବର୍ଷା ହୋଇଛି । ସେହିପରି କଳାହାଣ୍ଡିର ଲାଞ୍ଜିଗଡରେ ୧୬୦, ଦାରିଙ୍ଗବାଡ଼ିରେ ୧୩୦, ଚିତ୍ରକୋଣ୍ଡା କେ. ଗୁମ୍ମାରେ ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଆକାଶ ମେଘାଚ୍ଛନ୍ନ ରହିବା ସାଙ୍ଗକୁ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଗଞ୍ଜାମରେ ରାତି ସାଢ଼େ ଆଠଟା ସୁଦ୍ଧା ୭୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।
ଆଜି ହୀରାକୁଦର ଆଉ ୮ଟି ଗେଟ ଖୋଲିଛି । ଏବେ ମୋଟ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ଵରେ ୬ଟି ଓ ଡାହାଣ ପାର୍ଶ୍ୱରେ ୪ଟି ଗେଟ ଖୋଲାଯାଇଛି । ତେବେ ଉପର ମୁଣ୍ତରେ ଵର୍ଷା ଯୋଗୁ ଜଳପ୍ରବେଶ ବଢୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ ରହିଛି ।












Click it and Unblock the Notifications