ଓଡ଼ିଶା ପାଣିପାଗ ଖବର: ପ୍ରବଳରୁ ଅତି ପ୍ରବଳ ଖରା; ଆହୁରି ୨ ଦିନ ସିଭିୟର ହିଟ ୱେଭ
ପ୍ରବଳରୁ ଅତି ପ୍ରବଳ ଖରା । ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଆଜିଠୁ ଆହୁରି ୨ ଦିନ ସିଭିୟର ହିଟ ୱେଭ ବା ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଗତକାଲି ବିଶ୍ୱର ୧୦ ଉତ୍ତପ୍ତ ସହର ତାଲିକାରେ ଓଡିଶାର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱର ସ୍ଥାନ ପାଇଛି । ସେପଟେ ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଦେଇଛି ପାଣିପାଗ ବିଭାଗ ।
ପୃଥିବୀର ୧୦ ଉତ୍ତପ୍ତ ସହର ଭିତରେ ଓଡ଼ିଶାର ୩ ସହର ରହିଛି। ବାରିପଦା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବାଲେଶ୍ୱର ତୃତୀୟ ଓ ରାଜଧାନୀ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ।

ପୃଥିବୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଓମାନ୍ର ଜୋବା। ଗତକାଲି ତାପମାତ୍ରା ୪୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ତା' ତଳକୁ ରହିଛି ଓଡ଼ିଶାର ବାରିପଦା। ଏଠାରେ ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର। ଏଠାରେ ତାପମାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଛି। ଚତୁର୍ଥ ସ୍ଥାନରେ ରହିଥିଲା ଆଫ୍ରିକାର ନଦ୍ଜାମେନା। ଏଠାରେ ତାମପାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଛି। ପଞ୍ଚମ ସ୍ଥାନରେ ମିଆଁମାରର ଚୌକ। ଆଜି ଏଠାରେ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଷଷ୍ଠରେ ରହିଛି ନାଇଜର ବିଲମା। ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି।
ଗତକାଲି ତାପମାତ୍ରା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଦଶମିକ ୪ଡିଗ୍ରୀ ରେକର୍ଡ କରାଯାଇଛି । ଏହା ବାରିପଦାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ଏପ୍ରିଲ ୨୧, ୨୦୧୦ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଦଶମିକ ୧ଡିଗ୍ରୀ ରେକର୍ଡ କରାଯାଇଥିଲା । ବାରିପଦା ପରେ ବାଲେଶ୍ୱରରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୪୫ ଦଶମିକ ୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ଏପ୍ରିଲ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ୧୧ଏପ୍ରିଲ ୨୦୧୬ରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୮ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହାକି ଏପ୍ରିଲ ମାସରେ ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ।












Click it and Unblock the Notifications