Odisha Weather: ଆଗାମୀ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ଗୁଳୁଗୁଳି
ଆଗାମୀ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ପଶ୍ଚିମ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ୧୯ ଓ ୨୦ ତାରିଖରେ ବର୍ଷା ପରିମାଣ ବଢ଼ିବ। ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଅପରାହ୍ଣରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ସମାନ ସ୍ଥିତି ଦେଖାଦେଇପାରେ ।

ମୌସୁମୀ ଅଗ୍ରଗତିକୁ ନେଇ ଆକଳନ କରାଯାଇଛି ଯେ, ଆଉ ୪ଦିନ ଭିତରେ ଏଥିପାଇଁ ସ୍ଥିତି ଅନୁକୂଳ ହେବ। ଏବେ ମୌସୁମୀ ବାୟୁ ମାଲକାନଗିରି ଓ କୋରାପୁଟକୁ ଛୁଇଁଥିବା ବେଳେ, ୪ ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରେ । ସୂଚନାଯୋଗ୍ୟ ଯେ, ଜୁନ୍ ୮ରୁ ମୌସୁମୀ ଓଡ଼ିଶାର ଦକ୍ଷିଣ ପ୍ରାନ୍ତକୁ ଛୁଇଁଥିଲେ ବି, ୧୦ ଦିନ ହେଲା ତାହା ଆଉ ଆଗେଇବାର ନାଁ ଧରୁନି।
ଅନ୍ୟପଟେ ରାଜ୍ୟର ୧୦ ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି। ଅନ୍ୟସବୁ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଓ ଗୁଳୁଗୁଳିର ମାତ୍ରାକୁ ଦେଖି ଜିଲ୍ଲାପାଳମାନେ ନେଇଛନ୍ତି ଭିନ୍ନ ଭିନ୍ନ ନିଷ୍ପତ୍ତି। ୨୦ ଯାଏଁ ଛୁଟି ଘୋଷଣା ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ଗଞ୍ଜାମ, ବରଗଡ, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, ଗଜପତି, ସୁବର୍ଣ୍ଣପୁର ଓ ମୟୂରଭଂଜ। ଏହି ସବୁ ଜିଲ୍ଲାରେ ଆସନ୍ତା ୩ ଦିନ ସ୍କୁଲ ଛୁଟି ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।












Click it and Unblock the Notifications