ପାଣିପାଗ ଖବର: ଏପ୍ରିଲ ଠାରୁ ମେ’ରେ ଅଧିକ କଲବଲ କରିବ ତାତି
ରାଜ୍ୟରେ ଆହୁରି ବଢ଼ିବ ତାତି । ଆହୁରି କଲବଲ କରିବ ତାତି । ଏପ୍ରିଲ ଠାରୁ ମେ'ରେ ଅଧିକ କଲବଲ କରିବ ତାତି । ଘରୁ ବାହାରିବା ହୋଇଯିବ ମୁସକିଲ୍। ଏପରି ଆଗୁଆ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତ୍ରାହି ତ୍ରାହି ଟାକିବେ ଲୋକେ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟ୍ୱିଟ୍ କରି କହିଛନ୍ତି ଯେ, ମେ' ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ସବୁବର୍ଷ ଅପେକ୍ଷା ଚଳିତ ମେ' ମାସରେ ତାତି ଅଧିକ ରହିବ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି। ମେ' ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ।
ଗତକାଲି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା' ଉପରେ ରହିଥିଲା। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା' ଉପରେ ରହିଥିଲା । କାଳବୈଶାଖୀ ହେବାର ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ। ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ।

ଗତକାଲି ରାଜ୍ୟର ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି । ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଥିଲା ସର୍ବାଧିକ ଉତ୍ତପ୍ତ ସହର। ଏହା ତଳକୁ ରହିଥିଲା ବାରିପଦା। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବୌଦ୍ଧ ଓ ନାଣ୍ଡିଆଲ୍ ତଳକୁ ରହିଥିଲା ଓଡ଼ିଶାର ବାରିପଦା। ଏଠାରେ ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି । ତା' ତଳକୁ ଅଛି ପଶ୍ଚିମବଙ୍ଗର ଆସନସୋଲ୍ ଓ ବିଦ୍ଦର୍ଭର ଅକୋଲା । ଏହି ଦୁଇ ସହରର ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଛି । ତା' ପଛକୁ ଝାରସୁଗୁଡ଼ା ଓ ଚଣ୍ଡିଗଡ଼ । ଏହି ଦୁଇ ସହର ତାପମାତ୍ର ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ଓଡ଼ିଶାର ଅନୁଗୋଳରେ ୪୩.୭ ଡିଗ୍ରୀ, ଉତ୍ତରପ୍ରଦେର ପ୍ରୟାଗରାଜରେ ୪୩.୬ ଡିଗ୍ରୀ, ଝାରଖଣ୍ଡରେ ଡାଲଟଗଞ୍ଜରେ ୪୩.୨ ଡିଗ୍ରୀ, ଜାମସେଦପୁରରେ ୪୩.୨ ଡିଗ୍ରୀ, ପଶ୍ଚିମବଙ୍ଗ ମେଦିନାପୁରରେ ୪୩.୫ ଡିଗ୍ରୀ, ଓଡ଼ିଶାର ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ବିଦ୍ଦର୍ଭର ବ୍ରହ୍ମପୁରୀରେ ୪୩.୧ ଡିଗ୍ରୀ, ଚନ୍ଦ୍ରପୁରରେ ୪୩.୮ ଡିଗ୍ରୀ, ୱାଶିମରେ ୪୩.୬ ଡିଗ୍ରୀ, ତେଲଙ୍ଗାନାର ଚୁଡ୍ଡାପାରେ ୪୩.୬ ଡିଗ୍ରୀ ଓ ତିରୁପତିରେ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି।












Click it and Unblock the Notifications