ପାଣିପାଗ ଖବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ୪୬ ଡିଗ୍ରୀ ଟପିବ ତାପମାତ୍ରା
ପ୍ରବଳ ତାତି । ଘରୁ ବାହାରୁ ହେଉନି । ଗତକାଲି ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ରବିବାର ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ବର୍ଷା ହେବ। ରାଜଧାନୀରେ ବି ହାଲୁକା ବର୍ଷା ସମ୍ଭାବନା ଅଛି । ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ନେଇ ବିଭାଗ ପୂର୍ବାନୁମାନ କରିଛି ।
୨୧ରେ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳରେ ଭୀଷଣ ଗ୍ରୀଷ୍ମଲହରୀ ବହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଉପକୂଳ ଓଡ଼ିଶାରେ ବି ଗ୍ରୀଷ୍ମପ୍ରବାହ କଲବଲ କରିବ । ଭୀଷଣ ତାତି ଓ ଗୁଳୁଗୁଳି ଅସହ୍ୟ କରିବ । ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀରର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରୁ ବର୍ଷା ହୋଇପାରେ ।

ସେହିପରି ୨୨ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଝଡ଼ବର୍ଷା ସହିତ ୫୦ କିମି ବେଗରେ ପବନ ବହିପାରେ । ୨୩ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୪ରେ ଦକ୍ଷିଣ ଉପକୂଳ ଓଡ଼ିଶା ସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।
ତେବେ ୨୬ ପରେ ପ୍ରଚଣ୍ଡ ତାତିରେ ଆଉଟପାଉଟ ହେବ ପୂରା ଓଡ଼ିଶା । ଅନେକ ସ୍ଥାନରେ ତାତି ୪୬ ଡିଗ୍ରୀ ଟପିବ । କିଛି ସ୍ଥାନରେ ଅବିଶ୍ୱସନୀୟ ଭାବେ ୪୭ରୁ ୪୮ ଡିଗ୍ରୀରେ ଛୁଇଁପାରେ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆଶଙ୍କା କରିଛନ୍ତି । ସେ କହିଛନ୍ତି, ୨୫ ତାରିଖ ଠାରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅତି ଭୟାନକ ହୋଇପାରେ । ମାସ ଶେଷ ଯାଏ ଏଥିରୁ ମୁକ୍ତି ମିଳିବା ଆଶା ଦେଖାଯାଉ ନାହିଁ, ବରଂ ବଢ଼ିବ ପ୍ରକୋପ ।
ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ମହାନଦୀ ଅବବାହିକା ଦେଇ ଉପକୂଳ ଯାଏ ମାଡ଼ି ଆସୁଛି । ତତଲା ବାଲି ଓ ଏକ ପ୍ରକାର ନିଶ୍ଚଳ ପବନ ଯୋଗୁଁ ତାତି ଜମାଟ ବାନ୍ଧି ଭୟଙ୍କର ରୂପ ଧାରଣ କରୁଛି । ଏପଟେ ପୂର୍ବରୁ ସାମୁଦ୍ରିକ ପବନ ପ୍ରବାହ ପ୍ରାୟ ନାହିଁ । ଯେଉଁଥିପାଇଁ ଭୀଷଣ ମାତ୍ରାରେ ବଢ଼ିବ ତାପମାତ୍ରା । ତା ସାଙ୍ଗକୁ ଭୁବନେଶ୍ୱରରେ କଂକ୍ରିଟ ଜଙ୍ଗଲ, ପିଚୁ ରାସ୍ତା ଆଉ ପେଭର୍ ବ୍ଲକ୍ ତାତିକୁ ବହୁ ଗୁଣରେ ବଢ଼ାଇ ଦେବ । ଜଳିଯିବ ରାଜଧାନୀ ।












Click it and Unblock the Notifications