ରାଜ୍ୟରେ ଗ୍ରୀଷ୍ମପ୍ରବାହ: ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନିବର୍ଷା, ହିଟୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଉପକୂଳରୁ ଉପାନ୍ତ, ସବୁଠି ଅଗ୍ନିବର୍ଷା । ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ । ଆଜି ଓ କାଲି ପାଇଁ ସିଭିୟର ହିଟୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏଁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଗତ ୨୪ ଘଣ୍ଟାରେ ରାଜ୍ୟର ୨୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେର୍କଡ କରାଯାଇଥିବା ବେଳେ ୪୪.୩ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତପ୍ତ ସହର ପାଲଟିଛି ।

ପଶ୍ଚିମାଝଡ଼ ପ୍ରଭାବରେ ମେ ପହିଲାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ତାପମାତ୍ରା କମିଲେ ମଧ୍ୟ ଉଷ୍ମ ଓ ଆଦ୍ର ସ୍ଥିତି ସେମିତି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
ଏପ୍ରିଲ ମାସରେ କ୍ରମାଗତ ୧୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶେଷ ଦୁଇ ଦିନରେ ଏହା ଶିଖର ଛୁଇଁବ । ମେ ପ୍ରଥମ ସପ୍ତାହରୁ ତାପମାତ୍ରାରେ ସାମନ୍ୟ ହ୍ରାସ ଘଟିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ରାଜଧାନୀରେ ଖଇଫୁଟୁଛି ତାତି। ଗ୍ରୀଷ୍ମ ପ୍ରକୋପରେ ଦିନ ତ ଦିନ ରାତି ବି ଏଠି ଭୟଙ୍କର। ସାନ-ବଡ଼ ସମସ୍ତଙ୍କ ଅବସ୍ଥା ଏଠି ବେହାଲ୍। ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ କରିପକାଇଛି ସମସ୍ତଙ୍କୁ। ସମଦଶା ଭୋଗୁଛନ୍ତି ସିଲଭର୍ ସିଟି କଟକ ବାସିନ୍ଦା।
ପେଟପାଟଣାକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିଙ୍କୁ କେବଳ ଘରୁ ବାହାରିବାକୁ ପଡୁଛି ନଚେତ, ସହରରେ ସତେ ଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ।କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବ।
ଅନୁଗୁଳରେ ସର୍ବାଧିକ ୪୩.୩, ଡିଗ୍ରୀ ସଲସିୟସ ରେକର୍ଡ କରାଯାଇଛି ।ଗୋଟିଏ ପଟେ ତାତିର ତାଉରେ ସାରା ଓଡ଼ିଶା ଆକ୍ତାମାକ୍ତା ହେଉଥିବା ବେଳେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ।












Click it and Unblock the Notifications