୨୯ରେ ଆଉ ଏକ ଲଘୁଚାପ, ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଥିବା ମନ୍ସୁନ୍ ଟ୍ରପ୍ ଲାଇନ ପାଇଁ ବର୍ଷା ଜାରି ରହିଛି। ତେବେ ସୃଷ୍ଟ ଲଘୁଚାପ ୨୮ ତାରିଖ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳ ସମେତ ଉତ୍ତର ଓଡ଼ିଶା ଅତିକ୍ରମ କରିବ। ତେବେ ୨୯ରେ ଆଉ ଏକ ଲଘୁଚାପ କ୍ଷେତ୍ର ପୂର୍ବ ଓ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟିହେବ। ଏହା ପ୍ରଭାବରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କୋରାପୁଟ ଓ ମାଲକାନଗିରିରେ ୭ରୁ ୧୧ ସେ.ମି. ବର୍ଷା ହେବା ସମ୍ଭାବନା ଥିବାରୁ ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ସେହିପରି ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଥିବାବେଳେ ୩୦ରେ କେତେକ ଜିଲାରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ କେତେକ ଜିଲାକୁ ଅରେଞ୍ଜ ଓ ଅନ୍ୟ କେତେକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୮ ତାରିଖ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ୨୯ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ୪୮ ଘଣ୍ଟା କେନ୍ଦ୍ରୀୟ ବଙ୍ଗୋପାସାଗରରେ ରହି ୩୧ ଓ ସେପ୍ଟେମ୍ବର ୧ରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ନିକଟରେ ରହି ଦକ୍ଷିଣ ଛତିଶଗଡ଼ ଆଡ଼କୁ ମୁହାଁଇପାରେ। ଏହାଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଯଦିବା ୩୧ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ, କିନ୍ତୁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନାହିଁ। ତେବେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତିରେ ମଧ୍ୟମ ଓ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଭୁବନେଶ୍ୱରରେ ୨୮ରୁ ୩୧, ଦକ୍ଷିଣ ଆଭ୍ୟନ୍ତରୀଣରେ ୨୮ରୁ ଏବଂ ସମ୍ବଲପୁରରେ ୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।












Click it and Unblock the Notifications