Odisha Weather: ୨୭ରେ କେରଳ ଛୁଇଁପାରେ ମୌସୁମୀ: ୪୦ଂ ଉପରେ ୧୬ ସହର
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଦେଶର ମୁଖ୍ୟ ଭୂଖଣ୍ଡକୁ ସ୍ପର୍ଶ କରିବ। ସମ୍ଭବତଃ ଚଳିତ ମାସ ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ। ଗତ ୫ବର୍ଷ ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଆକଳନ ତାରିଖରେ ସାମାନ୍ୟ ଏପାଖ ସେପାଖ ଦେଖିବାକୁ ମିଳିଥିଲା। ୨୦୨୦ ଜୁନ ୧ରେ ମୌସୁମୀ କେରଳ ଛୁଇଁଥିବା ବେଳେ ୨୦୨୧ରେ ଜୁନ୍ ୩, ୨୦୨୨ରେ ମେ ୨୯, ୨୦୨୩ରେ ଜୁନ୍ ୮ ଏବଂ ୨୦୨୪ରେ ମେ ୩୦ରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୦ ଓ ୨୦୨୪ରେ ପାଣିପାଗ ବିଭାଗର ଧାର୍ଯ୍ୟ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁଥିଲା। ଏଥର ଅନୁରୂପ ଭାବେ ପୂର୍ବାନୁମାନ ତାରିଖ ପୂର୍ବରୁ ଛୁଇଁବା ନେଇ ପାଣିପାଗ ବିଜ୍ଞାନୀମାନେ ଆଶାବାଦୀ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରି ଟପିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରି ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୧.୭ ଡିଗ୍ରି ସେଲ୍ସିୟସ୍, ଝାରସୁଗୁଡ଼ାରେ ୪୧.୬, ସୁନ୍ଦରଗଡ଼ରେ ୪୦.୮, ଅନୁଗୁଳରେ ୪୦.୭, ବାରିପଦାରେ ୪୦.୬, ଭୁବନେଶ୍ବରରେ ୪୦.୨, ଭବାନୀପାଟଣାରେ ୪୦.୫, ବଲାଙ୍ଗୀରରେ ୪୧.୨, ଟିଟିଲାଗଡ଼ରେ ୪୧.୫, ସୋନପୁରରେ ୪୦.୫, ବୌଦ୍ଧରେ ୪୧, ପାରଳାଖେମୁଣ୍ଡିରେ ୪୦, ଢେଙ୍କାନାଳରେ ୪୦.୨, ନୂଆପଡ଼ା ଓ ଖୋର୍ଦ୍ଧାରେ ୪୦ ଡିଗ୍ରି ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
କେନ୍ଦ୍ରର ଆକଳନ ଅନୁଯାୟୀ ୧୧ରୁ ୧୩ ତାରିଖ ମଧ୍ୟରେ ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଦିନର ତାପମାତ୍ରା ୪୩ ଡିଗ୍ରି ସେଲ୍ସିୟସ୍ ଟପିପାରେ। ଏଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ଉପକୂଳ ଜିଲ୍ଲା ସମେତ ନୟାଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାରେ ଆର୍ଦ୍ରତା ଅଧିକ ରହିବାର ସମ୍ଭାବନା ଥିବାରୁ ସେଠାରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।












Click it and Unblock the Notifications