Odisha Weather : ଲଘୁଚାପର ପ୍ରଭାବ, ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା ପୂର୍ବାନୁମାନ
ଚଳିତ ସପ୍ତାହ ଶେଷ ସୁଦ୍ଧା ଲଘୁଚାପ ପୁଣି ଥରେ ଓଡ଼ିଶା ଛୁଇଁବ। ସପ୍ତାହ ଶେଷ ସୁଦ୍ଧା ପଶ୍ଚିମବଙ୍ଗ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ତଥାପି, ଏହି ଲଘୁଚାପ ଅଧିକ ସକ୍ରିୟ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।
ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ସକ୍ରିୟ ଲଘୁଚାପ ବୁଧବାର ଦୁର୍ବଳ ହୋଇ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଆଡକୁ ଗତି କରିଛି । ତଥାପି, ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସପ୍ତାହ ଶେଷରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ତଥାପି, ଏହାର ପ୍ରଭାବ ଓଡ଼ିଶା ଉପରେ କ'ଣ ପଡ଼ିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ସକ୍ରିୟ ମୌସୁମୀ ଯୋଗୁ ରାଜ୍ୟରେ ବର୍ଷା ଜାରି ରହିଛି । ଗୁରୁବାର ସକାଳ ସାଢ଼େ ୮ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼ ଏବଂ କନ୍ଧମାଳଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଗୁରୁବାର ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା ଆଦି ପାଞ୍ଚଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
୪ ତାରିଖରେ ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ପ୍ରବଳ ଏବଂ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୫ରେ ବର୍ଷା ପରିମାଣ ବଢ଼ିପାରେ । ଅନେକ ସ୍ଥାନରେ ବର୍ଷା ସହ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।












Click it and Unblock the Notifications