ଲଘୁଚାପ ପ୍ରଭାବ: ୧୪ରୁ ୧୬ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା
ରାଜ୍ୟରେ ଜାରି ରହିଛି ମୌସୁମୀ ଓ ଲଘୁଚାପ ଜନିତ ବର୍ଷା । ତେବେ ଆସନ୍ତା ୧୨-୧୩ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଓ ଲଘୁଚାପ ଜନିତ ବର୍ଷା । ତେବେ ଆସନ୍ତା ୧୨-୧୩ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, କଳାହାଣ୍ଡି, ବଲଙ୍ଗୀର, ବରଗଡ଼ । ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨ ଟି ଲଘୁଚାପ ହେବା ନେଇ ଆକଳନ କରାଯାଇଥିଲା। ଏହାଦ୍ୱାରା ରାଜ୍ୟରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ପ୍ରଥମ ଲଘୁଚାପଟି ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରେ ରହିବା ଦ୍ୱାରା ୧୧-୧୩ ସାରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସେହିପରି ଦ୍ୱିତୀୟ ଲଘୁଚାପଟି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ସହ ୧୪ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ସମ୍ଭାବ୍ୟ ଲଘୁଚାପଟି ଓଡ଼ିଶା ଉପରେ ଦୁଇ ଦିନ ରହିବା ପରେ ଉତ୍ତର-ପଶ୍ଚିମ ବା ପଶ୍ଚିମ ଆଡ଼େ ଗତି କରିବ। ଏହା ପ୍ରଭାବରେ ୧୪-୧୬ ରାଜ୍ୟରେ ଭାରୀ ବର୍ଷା ହେବ।
୧୪-୧୬ ତିନିଦିନ କେତେକ ସ୍ଥାନରେ ଅତି ପ୍ରବଳ ଲଗାଣ ବର୍ଷା ହେବ। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ଅଞ୍ଚଳରେ ସବୁଠାରୁ କମ୍ ବର୍ଷା ହେବ। ବାକି ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସପ୍ତାହକରେ ସମୁଦାୟ ବର୍ଷା ୧୫୦-୨୦୦ ମିମି ଓ ସ୍ଥାନେସ୍ଥାନେ ଅଧିକ ହୋଇପାରେ। ୧୫ ଓ ୧୬ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମହାନଦୀ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ନଦୀରେ ପାଣି ଫୁଲିବାକୁ ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।












Click it and Unblock the Notifications