Odisha Weather: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା

ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢ଼ିଛି । ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ସାଢ଼େ ୩ ଲକ୍ଷ କ୍ୟୁସେକ୍‌ ଜଳ ପଶୁଛି । ହୀରାକୁଦର ୨୦ଟି ଗେଟ୍‌ ଖୋଲିଛି । ବର୍ଷା ପାଇଁ ମହାନଦୀ ସମେତ ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ନଦୀ ଫୁଲୁଛି। ଶନିବାର ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ଢାଳିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ।

ରାଜ୍ୟରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜରୁରୀ ବୈଠକ କରିଛନ୍ତି । ପ୍ରବଳ ବର୍ଷାରେ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ରହିଛି । ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇଛି । ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ବାଲାଂଦେଶ ଉପକୂଳରେ ଏହି ଅବପାତ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଶନିବାର ବରଗଡ଼, ଦେବଗଡ଼, କେନ୍ଦୁଝର ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

Heavy rain expected today SRC warns various districts

ରବିବାର (୨୭ ତାରିଖ) ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୨୮ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହୋଇପାରେ । ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଆଡ଼କୁ ଗତିବ ବୋଲି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ବିଭାଗ ସମେତ ବର୍ଷା ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମକୁ ସତର୍କ କରାଇଛନ୍ତି । କୌଣସି ଜରୁରୀ ସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି ।

ତିନି ଦିନ ପୂର୍ବରୁ ହୀରାକୁଦର ମାତ୍ର ୨ଟି ଗେଟ୍‌ ଖୋଲାଥିଲା । କିନ୍ତୁ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ପରେ ଅଧିକ ଗେଟ୍‌ ଖୋଲାଯାଇଛି। ପ୍ରଥମେ ୪ଟି ଏବଂ ପରେ ପର୍ଯ୍ୟାୟକ୍ରମେ ୮, ୧୨ ଓ ୧୬ଟି ଖୋଲାଯାଇଥିଲା । ଶୁକ୍ରବାର ୨୦ ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି । ବର୍ଷା ଜାରି ରହିଥିବାରୁ ଗେଟ୍‌ ସଂଖ୍ୟା ବଢ଼ିବା ସମ୍ଭାବନା ଅଛି । ରାତି ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୦୯.୩୯ ଫୁଟ୍‌ ରହିଛି ।

ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ ୩୯.୩୭ ମିମି ବର୍ଷା ରେକର୍ଡ କରାଯାଇଛି । ଇବ୍‌ରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି । ଭେଡେନ୍‌ ନଦୀର ଜଳସ୍ତର କମିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୫ ହଜାର ୧୬୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ମୋଟ ୩ ଲକ୍ଷ ୩୫ ହଜାର ୧୬୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ରାତି ୯ଟା ସୁଦ୍ଧା ବେଲଗାଁ ଦେଇ ୧୫,୬୦୦, ପଥର୍ଲା ଦେଇ ୩୮,୪୫୨, ଖଇରମାଲ ଦେଇ ୨ ଲକ୍ଷ ୮୨ ହଜାର, ବାରମୂଳ ଦେଇ ୧ ଲକ୍ଷ ୪୧ ହଜାର ଓ ମୁଣ୍ଡଳୀ ଦେଇ ୧ ଲକ୍ଷ ୮୪ ହଜାର ୨୩୮ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ।

ମହାନଦୀର ନରାଜଠାରେ ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ଅଢ଼େଇ ମିଟର ତଳେ ପ୍ରବାହିତ ହେଉଛି । ବ୍ରାହ୍ମଣୀ ନଦୀର ଜେନାପୁରଠାରେ ନଦୀ ଜଳସ୍ତର ୨୦.୫୦ ମିଟର ରହିଛି । ଜଳସ୍ତର କ୍ରମଶଃ ବଢ଼ିଚାଲିଛି । ବୁଢ଼ାବଳଙ୍ଗ ନଦୀର ଏନ୍‌ଏଚ-୫ ଗୋବିନ୍ଦପୁରଠାରେ ଜଳସ୍ତର ୨୦.୫୦ ମିଟର ରହିଥିଲା । ଏଠାରେ ବି ଜଳସ୍ତର ବଢୁଛି । ରାଜୀବ ଭବନରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ, ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଥିଲା । ସମସ୍ତେ ଆଗୁଆ ପ୍ରସ୍ତୁତି ଚଳାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ସକାଳରୁ ନେଇ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୧୩୦ମିମି ବର୍ଷା ଢାଳିଛି । ଜଗତସିଂହପୁରରେ ୮୪, ସୋନପୁରରେ ୪୧ମିମି, ବଲାଙ୍ଗୀରରେ ୨୭, ନୂଆପଡ଼ାରେ ୨୩.୬, ଝାରସୁଗୁଡ଼ାରେ ୧୬.୪, ସୁନ୍ଦରଗଡ଼ରେ ୧୫.୬, ବାଲେଶ୍ୱରରେ ୧୧.୧, ଢେଙ୍କାନାଳରେ ୮.୨ମିମି ବର୍ଷା ରେକର୍ଡ ହୋଇଛି ।

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇ କହିଛନ୍ତି, ନଦୀକୁ ଅଧିକ ଜଳ ପ୍ରବେଶ କରୁଛି । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିପାରେ । ଏବେ ସମସ୍ତ ନଦୀର ଜଳ ସ୍ତର ବିପଦ ସଙ୍କେତ ତଳେ ରହିଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+