ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ, ଶ୍ରୀମନ୍ଦିରରେ ପର୍ଯ୍ୟାପ୍ତ ବ୍ୟବସ୍ଥା ପାଇଁ ଦାବି
ମାର୍ଚ୍ଚ ମାସ ଆରମ୍ଭରୁ ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତ୍ୟବ୍ୟସ୍ତ କଲାଣି । ସକାଳ 9ଟାରୁ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଲାଣି । ତେବେ ପ୍ରଚଣ୍ଡ ଖରାକୁ ନେଇ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ମଧ୍ୟ କଲବଲ ହେଉଛନ୍ତି । ବିଶେଷ କରି ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇ ନଥିବାରୁ ଭକ୍ତମାନେ ଖରାରେ ବେଶ୍ ଅସୁବିଧା ଭୋଗୁଛନ୍ତି । ଶ୍ରୀମନ୍ଦିର ଚାରି ଦ୍ଵାରରେ ଛାଇ ପ୍ରଦାନ ପାଇଁ କୌଣସି ସେଡ ହୋଇନାହିଁ । ଫଳରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଛାଇରେ ଟିକେ ବିଶ୍ରାମ ନେଇପାରୁନାହିଁ । ପର୍ଯ୍ୟାପ୍ତ ପରିମାଣ ଜଳ ବ୍ୟବସ୍ଥା ନଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି ।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ଦାବି:
ବଡ ଦାଣ୍ଡରେ ଥିବା ଜୋତା ଷ୍ଟାଣ୍ଡରୁ ଶ୍ରୀମନ୍ଦିର ଯାଏ କତା ମ୍ୟାଟ ପଡ଼ିନଥିବାରୁ ଖାଲି ପାଦରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଗୋଡ ତାତି ଯାଉଛି । ପ୍ରଚଣ୍ଡ ଖରାରୁ ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ବିଶ୍ରାମସ୍ଥଳୀ ସହ ପଙ୍ଖାର ବ୍ୟବସ୍ଥା ପାଇଁ ଭକ୍ତମାନେ ଦାବି କରିଛନ୍ତି ।ମହାପ୍ରଭୁଙ୍କୁ ଦର୍ଶନ ସହ ସମୁଦ୍ରକୂଳ ବୁଲିବାକୁ ହଜାର ହଜାର ଭକ୍ତ ପ୍ରତିଦିନ ପୁରୀ ଆସୁଛନ୍ତି । ଏଣୁ ବଡ଼ ଦାଣ୍ଡ, ସମୁଦ୍ରକୂଳ, ବସ ଷ୍ଟାଣ୍ଡ, ରେଳ ଷ୍ଟେସନରେ ଜଳଛତ୍ର ଖୋଲିବାକୁ ସେବାୟତମାନେ ଦାବି କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଅଂଶୁଘାତର ଆଶଙ୍କା ରହିଛି । ଏଣୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଂଶୁଘାତ ୱାର୍ଡ ଶୀଘ୍ର ଖୋଲିବାକୁ ଦାବି ହୋଇଛି ।












Click it and Unblock the Notifications