ବଙ୍ଗୋପ ସାଗରରେ ଲଘୁଚାପ‌ କ୍ଷେତ୍ର ସୃଷ୍ଟି; ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା

କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଆଜି ଏକ ଲଘୁଚାପ‌ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳମୁହାଁ ହେବ। ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗିରହିବ।

ତେବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୯ ଓ ୨୦ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳ ଓ ଭୂତଳ ରାସ୍ତାରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ।

ସହରାଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଓ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ। ବିପଦସଙ୍କୁଳ ଅବସ୍ଥାରେ ଥିବା ମାଟି ଘର କାନ୍ଥ ଭୁଶୁଡ଼ିବା, ରାସ୍ତା ଧୋଇଯିବା, ଚାଷ ଜମି ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଯେତେଦୂର ସମ୍ଭବ ଲୋକେ ବିପଦସଙ୍କୁଳ ଘରେ ନ ରହିବା ଏବଂ ଅମଳ ଯୋଗ୍ୟ ହୋଇଥିବା ଶସ୍ୟ ଉତ୍ପାଦନ ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଲଘୁଚାପ ପ୍ରଭାବରେ ୧୮ ତାରିଖରେ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଏବଂ ୧୯ରୁ ୨୨ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଉକ୍ତ ଅଞ୍ଚଳକୁ ନ ଯିବାକୁ ବାରଣ କରାଯାଇଛି।

rain

ଶୁକ୍ରବାର ସକାଳ ସୁଦ୍ଧା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ(୭ରୁ ୨୦ ସେମି) ବର୍ଷା ଏବଂ ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ପ୍ରବଳ(୭ରୁ ୧୧ ସେମି) ବର୍ଷା ହୋଇପାରେ। ୧୯ ତାରିଖ ସକାଳରୁ ୨୦ ତାରିଖ ସକାଳ ମଧ୍ୟରେ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା(୨୦ ସେମିରୁ ଅଧିକ) ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହାଦ୍ବାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ସହ ବନ୍ୟା ଆସିପାରେ। ଏହି ସମୟରେ ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ୨୦ ତାରିଖ ପୂର୍ବାହ୍ନଠାରୁ ୨୧ ତାରିଖ ସକାଳ ମଧ୍ୟରେ ବୌଦ୍ଧ, ସୁବର୍ଣ୍ଣପୁର ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି। ସହରାଞ୍ଚଳ ଓ ତଳିଆଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା/ଡ୍ରେନ୍‌ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ପୌର ପ୍ରଶାସନ ଡ୍ରେନ୍‌ ସଫା କରିବା ସହ ଜଳ ନିଷ୍କାସନ ପାଇଁ ଆବଶ୍ୟକ ପମ୍ପ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ପର୍କରେ ଏବଂ କ୍ଷୟକ୍ଷତିର ରିପୋର୍ଟ ତୁରନ୍ତ ଏସ୍‌ଆରସିଙ୍କ କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ସର୍ବାଧିକ ୮୨.୨ ମିମି ବର୍ଷା ହୋଇଛି। ଆଜି ଦିନ ସମୟରେ ନୟାଗଡ଼ଠାରେ ସର୍ବାଧିକ ୫୪ ମିମି ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ସମୟରେ ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ବାକି ୧୭ଟି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଲାଗିରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+