Odisha Weather: ଆଉ ଏକ ଲଘୁଚାପ, ୧୨ ଯାଏ ଛେଚିବ ବର୍ଷା, ଓ୍ବାର୍ନି
ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାରି ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବାକୁ ଯାଉଛି।
ଆଗାମୀ ୩/୪ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବାକୁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେଣୁ ଏଥିପାଇଁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ ବୋଲି ଆକଳନ କରାଯାଇଛି। ଅପରପକ୍ଷେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟିହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଏହା ପାଖାପାଖି ଜିଲାଗୁଡିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏ ସବୁ ଅଞ୍ଚଳରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ କିଛି ସ୍ଥାନରେ ଝଟ୍କା ପବନ ବହିବା ନେଇ ସୂଚନା ଦିଆଯାଇଛି। ଶନିବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା, ଉତ୍ତର ଉପକୂଳବର୍ତ୍ତୀ ଏବଂ ପାଖାପାଖି ଜିଲାଗୁଡିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ଉତ୍ତର ଆନ୍ଧ୍ର ଉପକୂଳ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୯୦୦ ମିଟର ଉଚ୍ଚତାରେ ରହିଛି ଏକ ଘୂର୍ଣ୍ଣିବଳୟ। ସେହିପରି ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଉତ୍ତର ବଙ୍ଗୋପସାଗର ଉପକୂଳରେ ସମୁଦ୍ର ପତ୍ତନ ଠାରୁ ୧.୫ କିଲୋମିଟର ଉପରେ ରହିଛି ।
ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବିଜୁଳି ଘଡ଼ଘଡ଼ି ହେବ। ଆସନ୍ତାକାଲି ବର୍ଷା ପବନ ଓ ବିଜୁଳି ଘଡ଼ଘଡ଼ି ପାଇଁ କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
ଅନ୍ୟପଟେ ବିଦାୟ ନେବ ମୌସୁମୀ। ରାଜ୍ୟରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୩-୪ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସଂପୂର୍ଣ୍ଣ ଅନୁକୁଳ ରହିଛି । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।
ଆସନ୍ତା ୩-୪ ଦିନ ଭିତରେ ଓଡ଼ିଶା, ତେଲେଙ୍ଗାନା, ସିକ୍କିମ ଏବଂ ପଶ୍ଚିମବଙ୍ଗର କିଛି ସ୍ଥାନରୁ ଫେରିବ ମୌସୁମୀ ବାୟୁ। ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଏହି ତିନି ଚାରି ଦିନ ଭିତରେ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସଂପୂର୍ଣ୍ଣ ଭାବେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।












Click it and Unblock the Notifications