ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ; 20ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପୁଣି ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଚେତାବନୀ ଦେଇଛି ବିଭାଗ । ସେହିପରି ଆହୁରି ଦିନେ କିମ୍ବା ଦୁଇ ଦିନ ଯାଏଁ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
20ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:
ଆଜି ବିଜୁଳି, ଘଡଘଡି ସହ ବର୍ଷାର ସମ୍ଭାବନାକୁ ନେଇ 20ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ବିଭାଗ । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଯଥା:-ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର କେନ୍ଦ୍ରାପଡା, କଟକ, ଅନୁଗୁଳ ,ଢେଙ୍କାନାଳ,ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଦେଓଗଡ ସମ୍ବଲପୁର ବରଗଡ଼, ସୁନ୍ଦରଗଡ ଓ ଝାରସୁଗୁଡାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି 18ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:
ସେହିପରି ଆସନ୍ତାକାଲି ମଧ୍ୟ ଉପକୂଳ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର 18ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେଗୁଡ଼ିକ ହେଲା କୋରାପୁଟ ମାଲକାନଗିରି, ଗଞ୍ଜାମ, ଗଜପତି, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ।
ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସମ୍ଭାବନା:
ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ଆସନ୍ତାକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଘୂର୍ଣ୍ଣିବଳୟ ପ୍ରଭାବରେ 7ରୁ 12ତାରିଖ ଯାଏଁ ବର୍ଷା ଲାଗି ରହିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବରେ ରହିବ । ସେହିପରି ଅକ୍ଟୋବର 9 ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ମଧ୍ଯ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ । 7 ତାରିଖ ବେଳକୁ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ କିମ୍ଵା ଲଘୁଚାପ ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ 7 ତାରିଖରୁ ବର୍ଷାର ପରିମାଣ ବଢିପାରେ।
ସୁନ୍ଦରଗଡ଼ କୁତ୍ରାରେ ସର୍ବାଧିକ ବର୍ଷା ରେକର୍ଡ୍:
ଗତ 24 ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ସୁନ୍ଦରଗଡ଼ର କୁତ୍ରା ଠାରେ 42.2 ମିମି ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications