ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ, ସାଇକେଲ ପାଇଁ ମିଳିବ ୩୫୦୦ ଟଙ୍କା
ରାଜ୍ୟ ସରକାର ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ ।

ଭୁବନେଶ୍ୱର: ରାଜ୍ୟ ସରକାର ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ । ଏଥିପାଇଁ ସହାୟତା ରାଶି ୬ଶହ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ । ଏଥିସହ ସାଇକେଲ ପାଇଁ ପିଲାଙ୍କୁ ୩୫୦୦ ଟଙ୍କା ମିଳିବ । ପୂର୍ବରୁ ସାଇକେଲ ବାବଦକୁ ୨୬୦୦ ଟଙ୍କା ମିଳୁଥିଲା ।
୨୦୨୩-୨୪ ବଜେଟରେ ଗତକାଲି ଏଥିପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ବଜେଟ୍ରେ ଶିକ୍ଷା କ୍ଷେତ୍ର ପାଇଁ ରାଜ୍ୟ ସରକାର ୧୨.୩ ପ୍ରତିଶତ ବ୍ୟୟବରାଦ ବୃଦ୍ଧି କରିଛନ୍ତି । ଏଥିରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପାଇଁ ୨,୫୨୮ କୋଟି, ଉଚ୍ଚଶିକ୍ଷା ପାଇଁ ୩,୧୭୩ କୋଟି ଏବଂ ଦକ୍ଷତା ବିକାଶ ପାଇଁ ୯୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଏହାବାଦ ଚଳିତ ବର୍ଷଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲା,ବ୍ଲକ, ବିଦ୍ୟାଳୟ, ଶିକ୍ଷକ ଆଦିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କରଯିବ । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮୧୧ କୋଟି, ଗଙ୍ଗାଧର ମେହେର ଶିକ୍ଷା ମାନକ କୃଷି ଯୋଜନାରେ ୧୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଦଶମ ଶ୍ରେଣୀରେ ନୂଆ ବିଷୟ
ସେପଟେ ଏଣିକି ଏପ୍ରିଲ ମାସରୁ ଆରମ୍ଭ ହେବ ନୂଆ ଶିକ୍ଷବର୍ଷ । ନୂଆ ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲା, ନୂତନ ଶିକ୍ଷାବର୍ଷରେ ମଧ୍ୟ ସେହି ପାଠ୍ୟକ୍ରମ ପ୍ରଚଳିତ ହେବ । ନୂତନ ଶିକ୍ଷାବର୍ଷରେ ମୂଲ୍ୟାୟନ ଶୈଳୀ ମଧ୍ୟ ପୂର୍ବପରି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ଅନ୍ୟପଟେ ନୂଆ ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବିଷୟକୁ ପଢ଼଼ିବେ। ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର ମାର୍କ ଚିହ୍ନିତ ବିଷୟ ପଢା ଯାଉ ନ ଥିବା ତଥା ପରୀକ୍ଷାରେ ପଢୁ ନ ଥିବାବେଳେ ନୂଆ ଶିକ୍ଷାବର୍ଷରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢାଯିବ । ପରୀକ୍ଷାରେ ଏହି ବିଷୟରୁ ପ୍ରଶ୍ନ ମଧ୍ୟ ଆସିବ ବୋଲି ସ୍ପଷ୍ଟ କରିଛି ବୋର୍ଡ ।
ସେହିଭଳି ଆସପିରେସନାଲ କମ୍ପୋନେଣ୍ଟ ଭାବେ ନୂତନ ବିଷୟକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଏହି ବିଷୟରେ ୪ଟି ବିଭାଗ ଯଥା ବୁକ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ୍ ଏବଂ ବେସିକ ଆଇଟି ସ୍କିଲସ୍ ରହିଛି। ଛାତ୍ରଛାତ୍ରୀମାନେ ପ୍ରତି ବିଭାଗରେ ୨୫ ମାର୍କ ଲେଖାଏଁ ପରୀକ୍ଷା ଦେବେ। ପ୍ରତିବର୍ଷ ୪ଟି ପର୍ଯ୍ୟାୟରେ ଏହି ବିଷୟରେ ପରୀକ୍ଷା କରାଯିବ। ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ ମାର୍କ ଲେଖାଏଁ ପରୀକ୍ଷା ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କରେ ପରୀକ୍ଷା ହେବ। ଏଭଳି ଭାବେ ଉକ୍ତ ୪ଟି ବିଷୟରେ ମୋଟ ୧୦୦ ମାର୍କର ପରୀକ୍ଷା ଛାତ୍ରଛାତ୍ରୀମାନେ ଦେବେ। ତେବେ ଏହି ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ ହେବେ ନାହିଁ କି ସେମାନଙ୍କ କ୍ୟାରିୟର ମାର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।












Click it and Unblock the Notifications