ବାହାନଗା ଟ୍ରେନ ଦୁର୍ଘଟଣା: ବିଦ୍ୟୁତ ସଂସ୍ପର୍ଶରେ ଆସି ୪୦ ଯାତ୍ରୀଙ୍କର ହୋଇଛି ମୃତ୍ୟୁ
ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଯାତ୍ରୀ ଆହତ ହୋଇଛନ୍ତି । ହେଲେ ମୃତକଙ୍କ ମଧ୍ୟରୁ ୪୦ ଜଣଙ୍କର ବିଦ୍ୟୁତ ଆଘାତରୁ ମୃତ୍ୟୁ ଘଟିଥିବା କୁହାଯାଉଛି । ଏମିତି ତଥ୍ୟ ରହିଛି ରେଳବାଇ ପକ୍ଷରୁ ଦାୟର କରାଯାଇଥିବା ଏଫଆଇଆରରେ ।
ମୃତକଙ୍କ ମଧ୍ୟରେ ୪୦ ଜଣଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା । ଏଲଟି ଲାଇନରେ ଲାଗି ସେମାନଙ୍କର ମୃତ୍ୟୁ ହୋଇଛି । ରେଳଧାରଣା ଉପରେ ଥିବା ଏଲଟି ଲାଇନ ଯାତ୍ରୀଙ୍କ ପାଇଁ କାଳ ପାଲଟିଥିଲା । କାରଣ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଶରୀରରେ ଆଘାତ ଥିଲା । ସେଭଳି ମୃତକଙ୍କ ଶରୀରରେ ମଧ୍ୟ ଗଭୀର ଆଘାତ ଦେଖିବାକୁ ମିଳିଥିଲା ।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମୃ୍ତଦେହ କ୍ଷତବିକ୍ଷତ ହୋଇ ଯାଇଥିଲା । ସେମାନଙ୍କୁ ଚିହ୍ନିବା କଷ୍ଟକର ଥିଲା । କିନ୍ତୁ ୪୦ ଜଣଙ୍କର ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା । ତେଣୁ ବିଦ୍ୟୁତ ଆଘାତରେ ଆସି ଏମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।
ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡାନ୍ତ ରିପୋର୍ଟରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇପାରିଛି । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ଭୁବନେଶ୍ୱରକୁ ମୋଟ୍ ୧୯୩ ମୃତ ଦେହ ଅଣା ଯାଇଥିଲା, ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହ ଚିହ୍ନଟ ହୋଇଥିଲା, ଭଦ୍ରକରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଯାହାକୁ ମିଶାଇ ବର୍ତ୍ତମାନ ମୋଟ୍ ମୃତ୍ୟୁ ସଂଖ୍ୟା ୨୮୮କୁ ଛୁଇଁଛି । ଏବେ ମଧ୍ୟ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଅଛି । ସେହିପରି ଭୁବନେଶ୍ୱରକୁ ଆସିଥିବା ୧୯୩ ମୃତଦେହ ମଧ୍ୟରୁ ୧୧୦ଟି ମୃତଦେହ ଚିହ୍ନଟ ହୋଇସାରିଛି । ହେଲେ ବର୍ତ୍ତମାନ ଆହୁରି ୮୩ ମୃତ ଦେହର ପରିଚୟ ମିଳିପାରି ନାହିଁ ।












Click it and Unblock the Notifications