ଏସ୍ସିବିରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର
ଭୁବନେଶ୍ବର: କଟକ ଏସ୍ସିବିରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ ତୁରନ୍ତ ଉନ୍ନତ ଚିକିତ୍ସା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ'ରେ ସୂଚନା ପ୍ରଦାନ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ 'ଏକ୍ସ'ରେ ଲେଖାଯାଇଛି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରତିବଦ୍ଧ ଲୋକଙ୍କ ସରକାର । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର । ଏହାଦ୍ବାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ ତୁରନ୍ତ ଉନ୍ନତ ଚିକିତ୍ସା । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି ।

ଏସ୍ସିବିରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବା ପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି। ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ଏହି ଟ୍ରମା ସେଣ୍ଟରଟି କେନ୍ଦ୍ର ସରକାରଙ୍କ 'ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା'ରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ।












Click it and Unblock the Notifications