ଆଜି ବି ଭିଜିବ ଓଡ଼ିଶା, ୯ରେ ପୁଣି ଲଘୁଚାପ ସମ୍ଭାବନା
ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି । ତେବେ ଆଇଏମ୍ଡି ଜିଏଫ୍ଏସ୍ ମଡେଲ କହୁଛି, ୫ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ମୁହାଁ ହୋଇ ଉତ୍ତର ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏନ୍ସିଇପି-ଜିଏଫ୍ଏସ୍ ମଡେଲ ମଧ୍ୟ ଏହି ଆକଳନକୁ ଦୋହରାଇଛି । ତେବେ ୧୦ ତାରିଖ ବେଳକୁ ଏହି ଲଘୁଚାପ ହେବ ବୋଲ ଭାରତ ଫୋରକାଷ୍ଟ ସିଷ୍ଟମ୍ ଓ ଏନସିୟୁଏମ୍ ସେମାନଙ୍କ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯ତାରିଖରୁ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ନିଜ ବିସ୍ତାରିତ ଆକଳନରେ ଦର୍ଶାଇଛି । ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି। ଶନିବାର ସକାଳୁ ସନ୍ଧ୍ୟା ଭିତରେ ବଲାଙ୍ଗିରରେ୨୫, ମାଲକାନଗିରିରେ ୧୬.୨, ପାରାଦୀପରେ ୧୧.୨ ମିମି ଯାଏ ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications