ଆଜି ବି ଭିଜିବ ଓଡ଼ିଶା, ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି
ରବିବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରବିବାରଠାରୁ ବର୍ଷା ପୁଣି କ୍ରମଶଃ ବଢ଼ିବ। ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବା ସମ୍ଭାବନା ଅଛି। ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ନବରଙ୍ଗପୁରରେ ପ୍ରବଳ ବର୍ଷା ଓ କେତେକ ଜିଲ୍ଲାରେ ଘଡ଼ଘଡ଼ି, ପବନ ଏବଂ ବର୍ଷା ଆଶଙ୍କା ରହିଛି। ଏଭଳି ପାଗ ପରବର୍ତ୍ତୀ ଦୁଇଦିନ ମଧ୍ୟ ରହିବ।
ଶନିବାର ପାରାଦୀପ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ସନ୍ଧ୍ୟା ସାଢ଼େ ୫ଟା ଭିତରେ ପାରାଦୀପରେ ୩୦ ମିଲିମିଟର, ରାଜଧାନୀରେ ୨୨.୧ ମିମି ବର୍ଷା ରେକର୍ଡ ହୋଇଥିଲା। ସନ୍ଧ୍ୟାରେ ବି ଝିପିଝିପି ବର୍ଷା ଲାଗି ରହିଥିଲା। ଅନ୍ୟପଟେ ଶନିବାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢ଼ିଛି । କୋରାପୁଟରେ ୩୫.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିବାବେଳେ ଟିଟିଲାଗଡ଼ରେ ୩୫, ସମ୍ବଲପୁରରେ ୩୫, ଭବାନୀପାଟଣାରେ ୩୪.୫, ବୌଦ୍ଧରେ ୩୪, ପୁରୀରେ ୩୪ ଡିଗ୍ରୀ ଥିଲା। ଅନେକ ସ୍ଥାନରେ ପାରଦ ୩୩ ଡିଗ୍ରୀ ଟପିଥିଲା। ଗରମ ବି ସାମାନ୍ୟ ଅନୁଭୂତ ହେଉଥିଲା ।












Click it and Unblock the Notifications