ଆହୁରି ୨ ଦିନ ଭିଜିବ ଓଡ଼ିଶା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, ବିଜୁଳି ଏବଂ ପ୍ରବଳ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ଶନିବାର କହିଛି। ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜଗତ୍ସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇପାରେ।

ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ ସେମି) ଏବଂ ବଜ୍ରପାତ ସହିତ ଝଡ଼ ହୋଇପାରେ। ସମ୍ଭାବ୍ୟ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ସଂସ୍ଥା ପକ୍ଷରୁ ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଗତକାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଯୋଡାରେ ୮୪.୫ ମିମି ଓ ସୁନ୍ଦରଗଡ଼ରେ ୭୦.୪ ମିମି ବର୍ଷା ରେକର୍ଡ ହୋଇଛି।












Click it and Unblock the Notifications