ଆଶ୍ଚର୍ଯ୍ୟ ଘଟଣା ! ମାଟ୍ରିକ୍ ପରୀକ୍ଷା ଖାତାକୁ ଘରକୁ ନେଇ ପଳାଇଲେ ଛାତ୍ରୀ, ତା’ପରେ…
ବାଲେଶ୍ୱର: ମାଟ୍ରିକ୍ ପରୀକ୍ଷା ଓ ଖାତା ଦେଖା ଶେଷ ହୋଇଛି । ତେବେ ଖାତା ଦେଖା ସମୟରେ ସାମ୍ନାକୁ ଆସିଛି ଏକ ସାଂଘାତିକ୍ ତ୍ରୁଟି । ମାଟ୍ରିକ୍ ପରୀକ୍ଷା ଖାତାକୁ ଘରକୁ ନେଇ ପଳାଇଛନ୍ତି ଜଣେ ଛାତ୍ରୀ । ବାଲେଶ୍ୱର ସିମୁଳିଆରୁ ସାମ୍ନାକୁ ଆସିଛି ସମସ୍ତଙ୍କୁ ତାଜୁବ୍ କଲା ଭଳି ତଥ୍ୟ ।
ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଥିଲା। ଉପସ୍ଥାନ ତାଲିକାରେ ଜଣେ ପରୀକ୍ଷାର୍ଥୀ ରୋଲ୍ ନମ୍ବର ଓ ଦସ୍ତଖତ ଥିବାବେଳେ ତାଙ୍କ ଉତ୍ତରଖାତା ମିଳି ନଥିଲା । ତେବେ ଖୋଳତାଡ଼ କରିବା ପରେ ୩ ସପ୍ତାହ ପରେ ଉକ୍ତ ଛାତ୍ରୀଙ୍କ ଘରୁ ମିଳିଛି ଉତ୍ତରଖାତା । ପରେ ଏହାକୁ ସଂଗ୍ରହ କରାଯାଇ ମୂଲ୍ୟାୟନ କେନ୍ଦ୍ରରେ ଜମା ଦିଆଯାଇଛି ।

ତେବେ ଉକ୍ତ ଛାତ୍ରୀ ଜଣକ ହେଉଛନ୍ତି ରାଣୀ ମଲ୍ଲିକ । ଜାମୁଝାଡିରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ମ୍ୟାଟ୍ରିକ ପରୀକ୍ଷା ଦେଉଥିଲେ । ମାର୍ଚ୍ଚ ୨୦ ତାରିଖ ଦିନ ଗଣିତ ପରୀକ୍ଷା ହୋଇଥିଲା। ପରୀକ୍ଷା ସରିବା ପରେ ଜଣେ ପରୀକ୍ଷାର୍ଥୀ ନିଜର ଉତ୍ତରଖାତା ଘରକୁ ନେଇ ଯାଇଥିଲେ । ମୂଲ୍ୟାୟନ ପାଇଁ ଖାତା କଟକ ଜିଲ୍ଲା ସାଲେପୁରସ୍ଥିତ ଏକ କେନ୍ଦ୍ରକୁ ଯାଇଥିଲା । ସେଠାରେ ମୂଲ୍ୟାୟନ କରୁଥିବା ଶିକ୍ଷକ ଉପସ୍ଥାନ ତାଲିକାରେ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ଓ ଦସ୍ତଖତ ଥିବା ବେଳେ ତାଙ୍କ ଉତ୍ତରଖାତା ପାଇ ନଥିଲେ। ଯାହାକୁ ନେଇ ଖୋଳତାଡ଼ କରା ଯାଇଥିଲା ।
ତେବେ ଦାମୋଦର ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ୨୦ ଦିନ ପରେ ଛାତ୍ରୀଙ୍କ ନିକଟରୁ ଉତ୍ତର ଖାତା ଆଣିଥିଲେ । ସ୍କୁଲର ଛାତ୍ରୀ ଜଣକ ଖାତାଟିକୁ ଅଜାଣତରେ ଆଣିଥିବା ବେଳେ ସୁପେରିଟେଣ୍ଡେଣ୍ଟ ଏଭଳି କୌଣସି ଘଟଣା ଘଟି ନଥିବା କହିଛନ୍ତି ।
ତେବେ ଏପରି ଘଟଣା ପରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ପରିଷଦ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଦାମୋଦର ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି ତ୍ରୁଟି କେମିତି ହେଲା, ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।












Click it and Unblock the Notifications