ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଗାଇଡଲାଇନ୍ ବିଜ୍ଞପ୍ତିକୁ ଆଜି ବିଧିବଦ୍ଧ ଭାବେ ପ୍ରତ୍ୟାହାର କଲା କ୍ରୀଡ଼ା ବିଭାଗ
ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କ ଅଜାଣତରେ ଜାରି ହୋଇଥିବା 'ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ' ଗାଇଡଲାଇନ୍ ବିଜ୍ଞପ୍ତିକୁ ଆଜି ବିଧିବଦ୍ଧ ଭାବେ ପ୍ରତ୍ୟାହାର କରିନେଇଛି କ୍ରୀଡ଼ା ବିଭାଗ। 'ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ'ର ନାଁକୁ ଉଚ୍ଛେଦ କରି 'ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ'ର ଗାଇଡଲାଇନ୍ ଗତ ୧୯ ତାରିଖରେ ଜାରି ହୋଇଥିଲା।

କ୍ରୀଡ଼ା ବିଭାଗର ବିଜ୍ଞପ୍ତି ଅନୁସାରେ, ବିଭାଗ ଦ୍ୱାରା ୨୦୨୩ ଜୁନ୍ ୫ ତାରିଖରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଗାଇଡଲାଇନ୍ ବଳବତ୍ତର ରହିବ । କ୍ରୀଡ଼ା ବିଭାଗ ୨୦୨୪ ଜୁଲାଇ ୧୯ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଗଲା । ୧୯ ତାରିଖର ବିଜ୍ଞପ୍ତିକୁ ଆଜି ପ୍ରତ୍ୟାହାର କରାଯିବା ସମ୍ପର୍କରେ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ଓ ସମସ୍ତ ବିଭାଗକୁ ଅବଗତ କରାଯାଇଛି ।
ଉଲ୍ଲେଖଯୋଗ୍ୟ, 'ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ'ର ନାଁ ପରିବର୍ତ୍ତନ କରି 'ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ' କରାଯିବା ପରେ ବିରୋଧୀ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଆଉ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ବିଜ୍ଞପ୍ତି ତାଙ୍କ ଜାଣତରେ ହୋଇନି ବୋଲି କହିବା ପରେ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇଲି । ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ମୋ' ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ଯଥୋଚିତ ସମ୍ମାନ ଦିଏ । ବିଜୁବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୀତିକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ସ୍ମରଣୀୟ ହୋଇ ରହିବ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ ବୋଲି କହିଥିଲେ ।












Click it and Unblock the Notifications