ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ ଆଉ ଏକ ପଦକ୍ଷେପ: ୧୪ ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ

ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର ।

ଏହାଦ୍ବାରା ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି। ଆଜି ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

CM Naveen Patnaik

ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ୟ୍ୟକାରୀ ହେଉଥିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ । ଏଥିରେ ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ କାର୍ୟ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି କାର୍ୟ୍ୟକ୍ରମରେ ଅଶୀ ଲକ୍ଷରୁ ଅଧିକ ଜନଜାତି ଲୋକ ସାମିଲ ହୋଇ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ସମ୍ପର୍କ ଅଛି । ଏଥିରେ ପ୍ରକୃତି ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରକୃତିର ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜନୀତି ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ଭାଷା, ରାଜନୀତି ସବୁ କ୍ଷେତ୍ରରେ ଜନଜାତି ବର୍ଗର ଲୋକଙ୍କ ଅବଦାନ ରହିଛି। ଓଡ଼ିଶାର ସଂସ୍କୃତିକୁ ସେମାନେ ଗୌରବମୟ କରିଛନ୍ତି। ମୁଁ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନୂଆ ପରିଷଦ ଗଠନ ଦ୍ଵାରା ସବୁ ଛୋଟ ଛୋଟ ବର୍ଗର ଜନଜାତି ଗୋଷ୍ଠୀ ସେମାନଙ୍କ କଳା ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ନିଜର ଗୁରୁତ୍ଵପୂର୍ଣ୍ଣ ଅବଦାନ ରଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜନଜାତି କଳା ଓ ସଂସ୍କୃତି ପ୍ରତି ଲୋକଙ୍କ ଆଗ୍ରହ ରହିଛି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ କହିଲେ ଯେ ଭୁବନେଶ୍ଵରର ଟ୍ରାଇବାଲ ମ୍ୟୁଜିୟମ ଏବେ ପର୍ୟ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣ ହୋଇଛି। ଜନଜାତି ସଂସ୍କୃତି, ଜୀବନ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ, ପ୍ରକୃତିର ସଂରକ୍ଷଣ ଓ ସେମାନଙ୍କ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଅଧିକ ଗବେଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୭ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦ୍ଵାରା ଜନଜାତି ବର୍ଗର ଅନନ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା। ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷର ସଂରକ୍ଷଣ, ସଂସ୍କୃତି କ୍ଲବ୍ ଗଠନ, ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ, ଆଦି ଅନେକ କାର୍ୟ୍ୟକ୍ରମ ଗ୍ରହଣ କରାଯାଇଛି । ବର୍ତମାନ ସୁଦ୍ଧା, ଏହି କାର୍ୟ୍ୟକ୍ରମରେ ୬୦ ହଜାରରୁ ଅଧକ ପ୍ରକଳ୍ପର କାର୍ୟ୍ୟାନ୍ୱୟନ ହୋଇସାରିଛି। ୪୫୯୯ ଚିହ୍ନିତ ପବିତ୍ର ବୃକ୍ଷ ମଧ୍ୟରୁ ୪୪୯୬ଟି ବୃକ୍ଷର ସଂରକ୍ଷଣ କରାଯାଇସାରିଛି। ୧୫୯୨ଟି କ୍ଲବ୍ ଗଠନ କରାଯାଇଛି। ୨୧ ଟି ଭାଷାରେ ଜନଜାତି ଭାଷାକୋଷ ଓ ଟ୍ରାଇଲିଙ୍ଗୁଆଲ ପ୍ରୋଫିସିଏନ୍ସି ମୋଡ୍ୟୁଲ ପ୍ରସ୍ତୁତ କରାଯାଇ ୩୦ ଟି ଜିଲ୍ଲାରେ ବଣ୍ଟନ କରାଯାଇଛି।

ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ମାନଙ୍କ ପାଇଁ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ସେ କହିଥିଲେ।

ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଥିଲେ ଯେ ଜନଜାତି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଭବିଷ୍ୟତ ପୀଢ଼ି ପାଇଁ ସ୍ମରଣୀୟ ହୋଇରହିବ। ଏହି ପରିଷଦ ସବୁ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସମ୍ପର୍କର ସେତୁ ହୋଇରହିବ।

ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂପର୍କରେ ଏକ କଫିଟେବୁଲ ବୁକ ଉନ୍ମୋଚନ କରିଥଲେ । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅତିଥିମାନଙ୍କୁ ସ୍ବାଗତ କରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ କମିଶନର ତଥା ଶାସନ ସଚିବ ରୂପା ରୋସନ୍ ସାହୁ ଆଦିବାସୀ ସଂସ୍କୃତିର ଅନନ୍ୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ୨୦୧୭-୧୮ରୁ ଗଠନ କରାଯାଇଛି । ଆଦିବାସୀ ମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ଅନ୍ୟ କୌଣସି ରାଜ୍ୟ ବା ଦେଶରେ ଏଭଳି ପଦକ୍ଷେପର ନଜିର ନାହିଁ ବୋଲି ସେ କହିଥିଲେ। ଏଟିଏଲସିର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+