ଅସୁସ୍ଥ ଅବସ୍ତାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଅଣ୍ଟା ଧରି ନଚାଇ ରିଲ୍ସ କଲେ ସମାଜସେବୀ
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଥିବା ବେଳେ ସମାଜସେବୀଙ୍କ ରିଲ୍ସକୁ ନେଇ ତେଜୁଛି ବିରୋଧ । କମଳା ପୂଜାରୀ କଟକ ବଡ଼ ମେଡିକାଲର ଆଇସିୟୁରେ ଥିବା ସମୟରେ ତାଙ୍କ ନିକଟରେ ଥିବା ମହିଳା ସମାଜସେବୀ ମମତା ବେହେରା ନିଜେ ନାଚିବା ସହିତ କମଳାଙ୍କୁ ନଚାଇଥିଲେ ।
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଥିବା ବେଳେ ସମାଜସେବୀଙ୍କ ରିଲ୍ସକୁ ନେଇ ତେଜୁଛି ବିରୋଧ । କମଳା ପୂଜାରୀ କଟକ ବଡ଼ ମେଡିକାଲର ଆଇସିୟୁରେ ଥିବା ସମୟରେ ତାଙ୍କ ନିକଟରେ ଥିବା ମହିଳା ସମାଜସେବୀ ମମତା ବେହେରା ନିଜେ ନାଚିବା ସହିତ କମଳାଙ୍କୁ ନଚାଇଥିଲେ । ତେବେ ଏନେଇ ଆଜି ମୁହଁ ଖୋଲିଛନ୍ତି କମଳା ପୂଜାରୀ । ପଦ୍ମଶ୍ରୀ କହିଛନ୍ତି ଯେ, ତାଙ୍କୁ ଜୋର କରି ନଚା ଯାଇଥିଲା।

ସେ କହିଛନ୍ତି, ମୁଁ ନିଜେ ନାଚିବି ବୋଲି କହି ନଥିଲି। ଜୋର କରି ମୋତେ ନଚା ଯାଇଥିଲା। ମୁଁ ମନା କରିଥିଲେ ବି ସେ (ସମାଜସେବୀ ମମତା ବେହେରା) ଶୁଣି ନଥିଲେ। ମୁଁ ଅସୁସ୍ଥ ଥିବା ଜାଣି ମୋତେ ନଚା ଯାଇଥିଲା। ନାଚିବା ପରେ ମୁଁ ହାଲିଆ ହୋଇଯାଇଥିଲି ଓ ଅଧିକ ଅସୁସ୍ଥ ହୋଇ ଯାଇଥିଲି।
ସେହିପରି କମଳା ପୂଜାରୀଙ୍କ ସହିତ ଯାଇଥିବା ସ୍ବେଚ୍ଛାସେବୀ ରାଜୀବ ହିଆଲ କହିଛନ୍ତି ଯେ, ମହିଳା ଜଣଙ୍କ ହଠାତ ଫୋନ କରି କମଳା ପୂଜାରୀ ରହିଥିବା ଆଇସିୟୁକୁ ଆସି ତାଙ୍କ ସେବା କରିବାକୁ କହି ତାଙ୍କ ସହିତ ରହିଥିଲେ । ବିଭିନ୍ନ ସମୟରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ । ସମାଜସେବୀ ମମତା ବେହେରାଙ୍କୁ କମଳା ପୂଜାରୀ ଚିହ୍ନି ନାହାନ୍ତି ଓ ସେ ବାରମ୍ବାର ଆସି ଭିଡିଓ ଓ ଫଟୋ ଉତ୍ତୋଳନ କରୁଥିଲେ ବୋଲି କହିଛନ୍ତି ରାଜୀବ ହିଆଲ ।
ସୂଚନାଯୋଗ୍ୟ ଯେ, କମଳା ପୂଜାରୀ କଟକ ବଡ଼ ଡାକ୍ତରଖାନାରେ ୫ ଦିନ ରହିଥିଲେ। ଗତ ସୋମବାର ସେ ସେଠାରୁ ଡିସ୍ଚାର୍ଜ ହୋଇଥିଲେ। ସେ ସେଠାରୁ ଫେରିବା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କମଳା ପୂଜାରୀଙ୍କୁ ଆଇସିୟୁ ଭିତରେ ସମାଜସେବୀ ମମତା ବେହେରା ନଚାଉଥିବା ଦେଖିବାକୁ ମିଳିଥିଲା।
ଅନ୍ୟପଟେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ଆଦିବାସୀ ସଂଘର କର୍ମକର୍ତ୍ତା ଏକ ବୈଠକ କରି ଏହା ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରତିକ୍ରିୟା ରଖିଛନ୍ତି । ଏ ସମ୍ପର୍କରେ ସେମାନଙ୍କ ନିକଟରେ ସୂଚନା ନଥିଲା । କମଳାଙ୍କ ଦେଖାଶୁଣା କରିବା ପାଇଁ ମହିଳା ଜଣକ ତାଙ୍କ ସହିତ ଥିଲେ । ତେବେ ସେ କେତେବେଳେ ଏପରି କରିଛନ୍ତି, କାହାକୁ ଜଣାନାହିଁ । ଗଣମାଧ୍ୟମରୁ ମେଡିକାଲ ପ୍ରଶାସନ ଏହା ଜାଣିବାକୁ ପାଇଛି । କେଉଁ ପରିସ୍ଥିତିରେ ଏହା ଘଟିଲା, ସେ ନେଇ ତଦନ୍ତ କରାଯିବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।
ସେପଟେ ସମାଜସେବୀ ମମତା ବେହେରା କହିଛନ୍ତି ମୁଁ ଭୁଲ କରିନି । କମଳା ପୁଜାରୀ ସୁସ୍ଥ ହେବା ଖୁସିରେ ଆମେ ନାଚିଥିଲୁ । ଏହାକୁ କିଏ ମନ୍ଦ ଉର୍ଦ୍ଦେଶ୍ୟ ରଖି ଭାଇରାଲ କରିଥିବା କହିଛନ୍ତି ମମତା । ଅନ୍ୟପଟେ ମମତା କହିଛନ୍ତି କମଳା ପୂଜାରୀଙ୍କ ସହ ମୋର ସମ୍ପର୍କ ଆଜିର ନୁହେଁ । ଦୀର୍ଘ ୪ ବର୍ଷ ହେବ କମଳା ମାଆଙ୍କ ସହ ମୋର ସମ୍ପର୍କ । ବୟସରେ ୪୦ ବର୍ଷ ମୋ ଠାରୁ ବଡ଼ ହେଲେ ମଧ୍ୟ ୪ ବର୍ଷ୍ ହବ ଆମର ଘନିଷ୍ଠ ବନ୍ଧୁତା । କେବଳ ସେ ସୁସ୍ଥ ହେବାରୁ ଖୁସିରେ ଭିଡ଼ିଓ ଟି କରିଥିବା କହିଛନ୍ତି ମମତା ।












Click it and Unblock the Notifications