ଏପ୍ରିଲ ୨୦ରୁ ଓଡିଶା ସ୍କିଲ୍ କନକ୍ଲେଭ, ପ୍ରତିଦିନ ଯୋଗ ଦେବେ ୨ ହଜାର ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୦ ତାରିଖଠାରୁ ଆରମ୍ଭ ହେବ ଓଡିଶା ସ୍କିଲ୍ କନକ୍ଲେଭ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୦,୨୧ ଓ ୨୨ ତାରିଖରେ ଏହା ଅନୁଷ୍ଠିତ ହେବାକୁ ଯାଉଛି ।
ଏହି କନକ୍ଲେଭ ମାଧ୍ୟମରେ ସରକାର ଶିଳ୍ପ, ଶିକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧି ଏବଂ ସ୍କିଲ୍ ଆମ୍ବାସାଡରଙ୍କୁ ଜଡିତ ହେବାକୁ ପ୍ରଯତ୍ନ କରୁଛନ୍ତି । ସୁଚିନ୍ତିତ, ସହମତି ଭିତ୍ତିରେ କାର୍ଯ୍ୟ କରିବା ସହିତ ଏକ ନୂତନ ବିଶ୍ୱ ଗଠନ ଦିଗରେ ଓଡିଶାର ବିକାଶ ଏବଂ ଭବିଷ୍ୟତର କାର୍ଯ୍ୟ ପନ୍ଥା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବାର ଏହା ହେଉଛି ଉପଯୁକ୍ତ ପ୍ଲାଟଫର୍ମ । ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ।

ଆସନ୍ତା ୨୦ ଏପ୍ରିଲରେ ଉଦଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତରେ ସମନ୍ୱିତ ସ୍କିଲ୍ ଇକୋସିଷ୍ଟମ୍, ଦକ୍ଷ ମାନବ ଶକ୍ତି ଇତ୍ୟାଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହ ଦକ୍ଷତା ବିକାଶ ଉପରେ ଅଧିବେଶନମାନ ଅନୁଷ୍ଠିତ ହେବ । ୨୧ ଏପ୍ରିଲରେ ସ୍ୱତନ୍ତ୍ର ଅଧିବେଷନ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍ କ୍ୟାପିଟାଲ୍ ଭାବେ ଗଢି ତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ଡ୍ରୋନ୍ ଟେକ୍ନୋଲୋଜି ସହିତ ସେକଫର ସ୍କିଲ୍ କାଉନସିଲର ଭୂମିକା ଆଦି ଗୁରୁତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ।
ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଆନ୍ତର୍ଜାତୀୟ ତଥା ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିଳ୍ପ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ । ୨୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିଳ୍ପ / ଏକାଡେମୀ / ସରକାରୀ କ୍ଷେତ୍ରର ୧୦୦୦ ରୁ ଊର୍ଦ୍ଧ୍ୱ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ସମ୍ମାଳନୀରେ OAUT / ପଲିଟେକ୍ନିକ୍ସ / ଇଞ୍ଜିନିୟରିଂ କଲେଜ / ବିଶ୍ୱବିଦ୍ୟାଳୟ ତଥା ବିଶିଷ୍ଟ ଶିଳ୍ପ ତଥା ସରକାରୀ ବିଭାଗର ୧୦୦ ରୁ ଊର୍ଦ୍ଧ୍ୱ ପ୍ରଦର୍ଶନୀ ଆୟୋଜିତ ହେବ । କନକ୍ଲେଭରେ ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର ହେବ । ଏହି ଇଭେଣ୍ଟକୁ ସଫଳ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱରର ଜନ ପଥରେ ନୂତନ ତଥା ଅନନ୍ୟ
'ପଥ ପ୍ରାନ୍ତ ଉତ୍ସବ' ଆୟୋଜନ କରାଯାଉଛି । ଓଡ଼ିଶାର ସମୃଦ୍ଧ ଐତିହ୍ୟ ସଂସ୍କୃତି ପ୍ରଦର୍ଶନ କରିବା ସହିତ ସମସ୍ତ ପରିଦର୍ଶକଙ୍କ ମନୋରଞ୍ଜନ ପାଇଁ ୨୦ ଏବଂ ୨୧ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।
ପ୍ରକାଶଥାଉ କି, ନୂଆଦିଲ୍ଲୀ ଠାରେ ଗତ ୬ ଏପ୍ରିଲରେ କନକ୍ଲେଭ ପାଇଁ ଏକ କର୍ଟେନ ରେଜର ଆୟୋଜିତ ହୋଇଥିଲା । ରାଜ୍ୟରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ୧୧ ଏପ୍ରିଲରେ ଭୁବନେଶ୍ୱରରେ ମଧ୍ୟ ଆଉ ଏକ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ଶାସନ ପାଢ଼ୀ ପ୍ରକାଶ କହିଛନ୍ତି ।












Click it and Unblock the Notifications