୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି: ମୁଖ୍ୟମନ୍ତ୍ରୀ
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ।
ଭୁବନେଶ୍ୱର: ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ । ଆଉ ଏହି କ୍ରମରେ ଆଜି ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ । ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମର ସ୍ବାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ । ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନିଜ ଅଭିଭାଷଣରେ ନବୀନ କହିଛନ୍ତି, ୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି । ଅନେକ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ମାର୍ଗଦର୍ଶକ ହୋଇଛି । ଓଡ଼ିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି। ଖାଦ୍ୟ ଅଭାବ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ ଭାବେ ଉଭା ହୋଇଛି । ବିପର୍ଯ୍ୟୟ ମୁକାବିଲାରେ ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିଛି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ଦେଶରେ ହବ୍ ପାଲଟିଛି । ୭୦ ଲକ୍ଷ ମାଆଙ୍କୁ ସଶକ୍ତ କରିବାର ମାଇଲଖୁଣ୍ଟ ହାସଲ କରିଛି । ଶିକ୍ଷା ଆମର ଫୋକସ୍ ରହିଛି। ଉନ୍ନତ ମାନର ଶିକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।
ନବୀନ କହିଛନ୍ତି, ଗାଁର ପ୍ରତିଭାବାନ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି । ୩୧୫ ଆଦର୍ଶ ବିଦ୍ୟାଳୟରେ ଏକ ଲକ୍ଷ ପିଲା ପାଠ ପଢୁଛନ୍ତି । ୫ ହଜାର ଝିଅଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ଅଛି । ଜନଜାତି ବର୍ଗର ବିକାଶ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି । ଆଞ୍ଚଳିକ ମାନସିକତାରୁ ବାହାରି ଜାତୀୟ ସ୍ୱାର୍ଥ ପାଇଁ କାମ କରୁଛୁ। ୨୫ ବର୍ଷ ପରେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବୁ। ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ପ୍ରକଳ୍ପର ୩ ହଜାର ସ୍ମାରକୀ ସ୍ଥାପନ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି ।












Click it and Unblock the Notifications