ରାଜ୍ୟରେ ପଜିଟିଭିଟି ହାର ଦେଖି ସ୍କୁଲ୍, କଲେଜ ବନ୍ଦ ନିଷ୍ପତ୍ତି ନେବେ ସରକାର: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ସରକାର ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ରାଜ୍ୟରେ ପଜିଟିଭିଟି ହାର ବୃଦ୍ଧିକୁ ଦେଖି ସରକାର ସ୍କୁଲ କଲେଜ ବନ୍ଦ ନିଷ୍ପତ୍ତି ନେବେ ।
ଭୁବନେଶ୍ୱର: ସଂକ୍ରମଣ ଯେତେବେଳେ ବଢୁଛି ତା ସହ ପଜିଟିଭ୍ ରେଟ୍ ବି ବଢୁଛି, ଏହା ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ପୂର୍ବ ଲହର ଗୁଡ଼ିକ ଅପେକ୍ଷା ବଢିବା ହାର କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ହସ୍ପିଟାଲାଇଜେସନ ରେଟ୍ ଏତେ ଉଦବେଗଜନକ ନୁହେଁ । ସମୁଦାୟ ପଜିଟିଭ କେସରୁ ୧.୧ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ତେଣୁ ହସ୍ପିଟାଲାଇଜେସନ ପାଇଁ ପର୍ଯ୍ୟାପ୍ତ ବେଡ଼ ଅଛି । ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ କୁହାଯାଇଛି, ଯେତେବେଳେ ଦରକାର ପଡ଼ିବ ବ୍ୟବସ୍ଥାକୁ ବଢ଼ାଯିବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ସରକାର ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ରାଜ୍ୟରେ ପଜିଟିଭିଟି ହାର ବୃଦ୍ଧିକୁ ଦେଖି ସରକାର ସ୍କୁଲ କଲେଜ ବନ୍ଦ ନିଷ୍ପତ୍ତି ନେବେ । ଯେ ପର୍ଯ୍ୟନ୍ତ ସେଭଳି ପରିସ୍ଥିତି ନଉପୁଜିଛି ସବୁ ବନ୍ଦ କରିଦେବାଟା ଠିକ୍ ହେବ ନାହିଁ । ଏ ବିଷୟରେ ରାଜ୍ୟ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ ବୋଲି ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି ।
ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ । ଯେତେବେଳେ ପାନଡେନିକ ବଢେ, କିଛି ଦିନ ବଢ଼ିଲା ପରେ ସ୍ଥିରତା ଆସେ ଏବଂ ତାପରେ ହ୍ରାସ ପାଏ । ବର୍ତ୍ତମାନ ଆମେ ସଂକ୍ରମଣର ଉର୍ଦ୍ଧ୍ୱ ମୁହାଁ ସ୍ଥିତିରେ ଅଛନ୍ତି । ଏବେ କହି ହେବନାହିଁ, ଏହାର ସ୍ଥିରତା କେବେ ଆସିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭିଲାନ୍ସକୁ ଆହୁରି ଜୋରଦାର କରାଯିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।
ସେପଟେ ଆଜି ଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ପ୍ରିକସନ ଡୋଜର ଟୀକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ପ୍ରିକସନ୍ ଡୋଜ ଦିଆଯାଉଛି । ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେବାକୁ ଅଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।

ଟିକାକରଣ ନେଇ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, '୧୮ରୁ ୫୯ ବର୍ଷ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେବାକୁ ଅଛନ୍ତି । ଆଜି ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ପ୍ରିକସନ୍ ଡୋଜ ଦିଆଯାଉଛି । କେବଳ ଭୁବନେଶ୍ୱରରେ ୧୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ୧୮ରୁ ୫୯ ବର୍ଷ ବୟସର ୧ ଲକ୍ଷ ୫୨ ହଜାର ପ୍ରିକସନ୍ ଡୋଜ୍ ନେଇଛନ୍ତି । ଉଭୟ ଅନ୍ଲାଇନ୍ ଓ ଅନ୍ସାଇଟ ପଞ୍ଜୀକରଣ କରି ଟିକା ନେଇପାରିବେ । ରାଜ୍ୟରେ ୧୩ ଲକ୍ଷ ଡୋଜ ଟିକା ମହଜୁଦ ରହିଛି ଏହା କିଛି ଦିନ ଯାଏଁ ଚାଲିବ । ଏହାପରେ ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ସବୁ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକ ହେବ । ଏମିତିକି କଲେଜ ଓ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ୍ କରି ଟିକା ବ୍ୟବସ୍ଥା ହୋଇଛି' ।

ଉଲ୍ଲେଖଥାଉ କି, ଆଜି ରାଜ୍ୟରେ ହଜାରେ ଟପିଛି ଦୈନିକ ସଂକ୍ରମଣ । ଦିନକରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧ ହଜାର ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୦୯ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୪୩୪ ରହିଛି । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଜଣ ଆକ୍ରାନ୍ତ ରହିଛନ୍ତି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୫, କଟକରୁ ୨୦୫, ସୁନ୍ଦରଗଡ଼ରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୭ ହଜାର ୧୭୫କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ କେସ୍ ସଂଖ୍ୟା ୪୮୨୫ ଥିବାବେଳେ ୧୨ ଲକ୍ଷ ୮୩ ହଜାର ୧୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications