ଆସିକା ଥାନା ଦେଶରେ ଶ୍ରେଷ୍ଠ, ୨୦ରେ ଟ୍ରଫି ଗ୍ରହଣ କରିବେ ଥାନା ଅଧିକାରୀ
କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ହୋଇଥିବା ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ ସ୍ଥାନ ଅଧିକାର କରିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ଟିମ ସାରା ଭାରତ ବର୍ଷର ପ୍ରତ୍ୟେକ ଥାନା ଗସ୍ତ କରି ଏହି ସର୍ଭେ କରିଥିଲେ ।
ବ୍ରହ୍ମପୁର: କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ହୋଇଥିବା ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ ସ୍ଥାନ ଅଧିକାର କରିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ଟିମ ସାରା ଭାରତ ବର୍ଷର ପ୍ରତ୍ୟେକ ଥାନା ଗସ୍ତ କରି ଏହି ସର୍ଭେ କରିଥିଲେ । ୨୦୨୨ ବର୍ଷ ନିମନ୍ତେ ଆସିକା ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ।

ଆସନ୍ତା ଜାନୁୟାରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପିୟୁଏସ୍ଏ କ୍ୟାମ୍ପସରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଡିଜି/ଆଇଜି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ପୁରସ୍କାର ପ୍ରଦାନ କରିବେ। ବ୍ୟକ୍ତିଗତ ଭାବେ ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବେ।
ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଥାନା ଆଇଆଇସିଙ୍କୁ ନିର୍ଦେଶ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ରାଜ୍ୟ ପୋଲିସ ମହାନିର୍ଦେଶକ ସୁନିଲ କୁମାର ବଂଶଲଙ୍କୁ ଚିଠି କରାଯାଇଛି । ଦେଶର ଶ୍ରେଷ୍ଠ ୩ଟି ପୋଲିସ ଷ୍ଟେସନ ଭିତରେ ଆସିକା ଥାନା ଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ନିଷ୍ଠାପରତା, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ବ୍ୟବହାର, ପ୍ରତିବଦ୍ଧତା, ଦଣ୍ଡବିଧାନ, ଦଳ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା ବ୍ୟବହାର, ସ୍ୱଚ୍ଛତା ଏବଂ ନିର୍ଦ୍ଧାରିତ ସମୟସୀମା ଆଦି କାର୍ଯ୍ୟଗୁଡ଼ିକୁ ନେଇ ସର୍ଭେ ହୋଇଥିଲା । ଏହି ସର୍ଭେରେ ପ୍ରଥମ ହୋଇଛି ଆସିକା ଥାନା । ସର୍ବଭାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିବା ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।












Click it and Unblock the Notifications