ଜୁନରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା: IMD ଡିଜି
ଜୁନରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏନେଇ IMD ପକ୍ଷରୁ ଆକଳନ କରାଯାଇଛି ।
ନୂଆଦିଲ୍ଲୀ: ଜୁନରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏନେଇ IMD ପକ୍ଷରୁ ଆକଳନ କରାଯାଇଛି । ଉତ୍ତର ଓ କେନ୍ଦ୍ର ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାରେ କେବେ ମୌସୁମି ପହଞ୍ଚିବ, ତାର ସଠିକ ଆକଳନ ଏଯାଏଁ ହୋଇନି । ସାଧାରଣତଃ ଜୁନ ୧୨ରୁ ୧୫ ଭିତରେ ଓଡ଼ିଶା ଛୁଇଁଥାଏ ମୌସୁମି । କେରଳ ପରେ ତାମିଲନାଡୁରେ ପହଞ୍ଚି ସାରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜୁନ୍ ମାସରେ ସମଗ୍ର ଦେଶରେ ବର୍ଷା ସ୍ୱାଭାବିକ ରହିବ। ବିଶେଷତଃ ପଶ୍ଚିମ ଭାରତ, ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ୱାଭାବିକ ଓ ସ୍ୱାଭିବକ ଠାରୁ ଅଧିକ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ। ସେହିପରି ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକାର ଦକ୍ଷିଣ ଭାଗରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଆଉ ଏହା ରାଜ୍ୟର ଚାଷୀଙ୍କ ପାଇଁ ଏକ ଖୁସି ଖବର।
ସେପଟେ ମେ ମାସ ଶେଷ ତାରିଖରେ ମଧ୍ୟ ଗ୍ରୀଷ୍ମ ପ୍ରବାହରୁ ମିଳୁନି ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାତାର ବଢିଚାଲିଛି ତାତି । ଗତକାଲି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏଭଳି ସ୍ଥିତି ଆସନ୍ତା ଦିନେ ଦୁଇଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଅତ୍ୟଧିକ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।












Click it and Unblock the Notifications